ଭୁବନେଶ୍ୱର: ରାଜ୍ୟରେ ପୁଣି ହେବ ବର୍ଷା । ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଏ ନେଇ ପୂର୍ବାନୁମାନ କରାଯାଇଛି । ବର୍ଷା ହେଲେ ପୁଣି ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ଭୋଗିବାକୁ ପଡିବ । କାରଣ ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ଚାଲିଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଡିସେମ୍ବର ୨୪ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ହାଲୁକରୁ ମଧ୍ୟମଧରଣର ବର୍ଷା ଆକଳନ କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗ ଅନୁ୍ଯାୟୀ, ଡିସେମ୍ବର ୨୬ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢ଼ିବ। ସୂଚନାଯୋଗ୍ୟ, ନିକଟରେ ରାଜ୍ୟରେ ଦୁଇ ଦିନ ଧରି ବର୍ଷା ହେବାରୁ ଅନେକ ଜିଲ୍ଲାରେ ଚାଷୀଙ୍କୁ ନାହିଁ ନ ଥିବାର ଅବସ୍ଥା ଭୋଗିବାକୁ ପଡିଛି । ବିଲରେ ଧାନ କେଣ୍ଡା ଶୋଇ ବର୍ଷା ପାଣିରେ ଜମି ରହିଛି । ବର୍ଷା ଯୋଗୁଁ ଅନେକ ମଣ୍ଡିରେ ଧାନ ଭିଜି ଯାଇଛି ।