ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ କୁଏତ ଗସ୍ତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ରବିବାର ସ୍ୱଦେଶ ଫେରି ଆସିଛନ୍ତି। କୁଏତର ପ୍ରଧାନମନ୍ତ୍ରୀ ଶେଖ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସାବ ମୋଦୀଙ୍କୁ ବିମାନବନ୍ଦର ଯାଏ ଛାଡିବାକୁ ଆସିବା ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଦେଶ ସମ୍ମାନକୁ ପ୍ରତିଫଳିତ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଏତ ଗସ୍ତ ଭାରତ ସହ ଏହି ଦେଶର ସଂପର୍କକୁ ଆହୁରି ନିବିଡ କରିବ ।
କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ସହ ରଣନୈତିକ ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର ହୋଇଛି। ଏମିରଙ୍କ ବ୍ୟତୀତ ମୋଦୀ କୁଏତ ପ୍ରଧାନମନ୍ତ୍ରୀ ଅହମ୍ମଦ ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ଏବଂ କ୍ରାଉନ ପ୍ରିନ୍ସ ସାବ ଅଲ-ଖାଲିଦ ଅଲ-ହମାଦ ଅଲ-ମୁବାରକ ଅଲ-ସବା ସହିତ ବିସ୍ତୃତ ଆଲୋଚନା କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତିବିଦ୍ୟାକୁ ନେଇ ବିଭିନ୍ନ କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଆଲୋଚନା ହୋଇଛି । ଉଲ୍ଲେଖନୀୟ ୪୩ ବର୍ଷ ମଧ୍ୟରେ ଏହି ଗଲ୍ଫ ଦେଶକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ।