ହାଇଦ୍ରାବାଦ: ପୁଷ୍ପା ୨ ଫିଲ୍ମର ପ୍ରିମିୟର ଶୋରେ ହୋଇଥିବା ଦଳା ଚକଟା ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ କହିବା କଥା ସାଉଥ ସୁପରଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନ ପୋଲିସ କରିବା ସତ୍ୱେ ବି ଫିଲ୍ମର ପ୍ରିମିୟର ଶୋରେ ଉପସ୍ଥିତ ହୋଇଥିଲେ । ଏବେ ହାଇଦ୍ରାବାଦ ପୋଲିସ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ପୋଲିସ ଅଫିସରମାନେ ଅଭିନେତାଙ୍କୁ ବାହାରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଆଧାରରେ ଦାବି କରାଯାଉଛି ଯେ, ପୋଲିସ ଅଭିନେତାଙ୍କୁ ବାହାରକୁ କାଢିବାକୁ ପଡିଥିଲା । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ସମୟରେ ଅଲ୍ଲୁ ଅର୍ଜୁନ ପୁଷ୍ପା-୨ର ପ୍ରିମିୟରରେ ପହଞ୍ଚିଥିଲେ । ଅଭିନେତାଙ୍କ ଝଲକଟିଏ ଦେଖିବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ ଲାଗି ରହିଥିଲା ।
ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଆଠ ବର୍ଷର ପୁଅ ଅବସ୍ଥା ଗୁରୁତର ରହିଛି । ପିଲାଟି ଏବେ କୋମାରେ ରହିଛି । ତେଲଙ୍ଗାନା ପୋଲିସ ମୁଖ୍ୟ ଜିତେନ୍ଦ୍ର ମାମଲା ଉପରେ କହିଛନ୍ତି ଯେ, ଆମର ଅଲ୍ଲୁ ଅର୍ଜୁନ କିମ୍ବା ଅନ୍ୟ କାହା ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଫିଲ୍ମର ପ୍ରମୋସନ ଅପେକ୍ଷା ଲୋକଙ୍କ ସୁରକ୍ଷା ଜରୁରୀ ଥିଲା । ସେମାନେ ଫିଲ୍ମରେ ହିରୋ ସାଜନ୍ତି ମାତ୍ର ବାସ୍ତବ ଜୀବନରେ ସେମାନଙ୍କୁ ବୁଝିବା ଉଚିତ୍ ଯେ, ସମାଜରେ ସମସ୍ୟା କଣ ।
ମୁଖ୍ୟମନ୍ତ୍ରୀ ରେଡ୍ଡୀ ଗତକାଲି କହିଥିଲେ ଯେ, ଅଲ୍ଲୁ ଅର୍ଜୁନ ନିଜ ଗାଡିର ସନ ରୁଫରୁ ବାହାରି ହାତ ହଲାଇଥିଲେ । ଗୋଟିଏ ପ୍ରକାର ସେ ରୋଡ୍ ଶୋ କରିଥିଲେ । ଫଳରେ ଦଳଚକଟା ପରି ସ୍ଥିତି ଉପୁଜିଥିଲା । ଏହି ଘଟଣାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାଙ୍କ ମୃତ୍ୟୁ ପରେ ବି ଅଲ୍ଲୁ ଅର୍ଜୁନ ସିନେମା ହଲରୁ ବାହାରି ନ ଥିଲେ । ପୋଲିସକୁ ବାଧ୍ୟ ହୋଇ ତାଙ୍କୁ ବାହାରକୁ ଆଣିବାକୁ ପଡିଥିଲା । କିନ୍ତୁ ଅଲ୍ଲୁ ଅର୍ଜୁନ କହିଥିଲେ ଯେ, ଥିଏଟର ପରିଚାଳକଙ୍କଠୁ ଅନୁମତି ନିଆଯାଇଥିଲା ।
ଅଲ୍ଲୁ ଅର୍ଜୁନ କହିଥିଲେ, ପୋଲିସ ଭିଡ ଭିତରେ ରାସ୍ତା ବାହାର କରିବା ପରେ ହିଁ ସେ ସିନେମା ହଲ୍ ଭିତରକୁ ଯାଇଥିଲେ । ସେ ନିୟମ କାନୁନରେ ଚାଲୁଥିବା ଜଣେ ମଣିହ । ଯଦି ତାଙ୍କୁ କୁହାଯାଇଥାନ୍ତା ଯେ, ଭିତରକୁ ଅନୁମତି ନାହିଁ ତେବେ ସେ ସେଠାରୁ ଚାଲି ଯାଇଥାନ୍ତେ । ଅଭିନେତା କହିଛନ୍ତି ଯେ, ଏହା ମୋର ରୋଡ୍ ଶୋ ନ ଥିଲା । ଲୋକଙ୍କୁ କେବଳ ହାତ ହଲାଇ ଭିତରକୁ ଯାଇଥିଲି । କୌଣସି ପୋଲିସ ଅଫିସର ମୋତେ ହଲରୁ ବାହାରିବାକୁ କହି ନ ଥିଲେ । ମୋର ମ୍ୟାନେଜର ଘଟଣା ବିଷୟରେ କହିବା ପରେ ହିଁ ମୁଁ ବାହାରିଥିଲି ।