ପୁଣେ: ମହାରାଷ୍ଟ୍ରର ପୁଣେରେ ଫୁଟପାଥ୍ରେ ଶୋଇଥିବା ଲୋକଙ୍କ ଉପରେ ଏକ ଡମ୍ପର ଚଢ଼ିଯାଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ଡମ୍ପର ଦ୍ୱାରା ୧୨ ଜଣ ଚାପି ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଜଣେ ପୁରୁଷ ଅଛନ୍ତି, ଯିଏ କି ପିଲାଙ୍କ ମାମୁଁ। ଏହା ସହ ୬ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ରାତି ପ୍ରାୟ ସାଢ଼େ ୧୨ଟା ବେଳେ ବାଘୋଲିର କେସାନନ୍ଦ ଫାଟା ଥାନା ସମ୍ମୁଖରେ ଏହି ଘଟଣା ଘଟିଛି। ଡମ୍ପର ଡ୍ରାଇଭର ମଦ୍ୟପାନ କରିଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମୃତକମାନେ ହେଲେ ବିଶାଲ ବିନୋଦ ପାୱାର (୨୨), ବୈଭବୀ ରିତେଶ ପାୱାର (୧) ଓ ବୈଭବ ରିତେଶ ପାୱାର (୨)। ଆହତଙ୍କ ମଧ୍ୟରେ ଏହି ଲୋକମାନେ ଅଛନ୍ତି। ଆହତମାନେ ହେଲେ ଜାନକୀ ଦିନେଶ ପାୱାର (୨୧), ରିନିଷା ବିନୋଦ ପାୱାର (୧୮), ରୋଶନ ଶାଶାଦୁ ଭୋସଲେ (୯), ନାଗେଶ ନିବୃତି ପାୱାର (୨୭), ଦର୍ଶନ ସଞ୍ଜୟ ବୈରାଲ, (୧୮) ଓ ଆଲିଶା ବିନୋଦ ପାୱାର (୪୭)।
ସୂଚନାଯୋଗ୍ୟ ଚଳିତ ମାସ ପୁଣେରେ ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପୁଣେର ଇନ୍ଦାପୁର ତହସିଲରେ ଘଟିଛି, ଯେଉଁଠାରେ ବାରାମତୀରୁ ଭିଗୱାନ ଅଭିମୁଖେ ଯାଉଥିବା ଏକ କାର୍ ଦୁର୍ଘଟଣାର ଶିକାର ହୋଇଥିଲା, ଯେଉଁଥିରେ ୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ।
ଅଧିକ ପଢ଼ନ୍ତୁ: ଡାକ୍ତରଖାନା କୋଠା ଉପରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ