ବଲାଙ୍ଗୀର : ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରାପଡିଲା ଏକ ଗ୍ୟାଙ୍ଗ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ଚାଲିଥିଲା । ଏନେଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି କୌଣସି ସତ୍ରରୁ ଖବର ପାଇଥିଲେ । ଏହାପରେ ସଇଁତଳା ପୋଲିସ ସହାୟତାରେ ବନ ବିଭାଗ ଟିମ୍ ଚଢ଼ାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ମାଲପଡ଼ା ଗ୍ରାମର ବାପ-ପୁଅ ଦେବରାଜ ଭୋଇ ଏବଂ ପିଲୁ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି ପାଇଁ ଯୋଜନା କରିଥିଲେ l ଏନେଇ ମଧ୍ୟସ୍ଥ ବେଲପଡା ଥାନା ଅନ୍ତର୍ଗତ ଭୂତେଶ୍ୱର ବାରିକ, କଣ୍ଟାବାଞ୍ଜି ଥାନା ଅଞ୍ଚଳର ବିଘ୍ନେଶ୍ୱର ମହାନନ୍ଦ, ଖଡିଆଳ ଥାନା ବାଙ୍କପୁର ଗ୍ରାମର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ଼ ଅଞ୍ଚଳରେ ବଜ୍ରକାପ୍ତାକୁ ୩୫ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ପକ୍କା ହୋଇଥିଲା।
ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସୁବୁଦ୍ଧି, ବନପାଳ ରଞ୍ଜିତ ସିଂଦେଓ, ବେଲଗାଁ ଫାଣ୍ଡି ଅଧିକାରୀ ଜୀବର୍ଦ୍ଧନ ମେହେର ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ବଜ୍ରକାପ୍ତାକୁ ଜବତ କରିଥିଲେ। ତେବେ ବଜ୍ରକାପ୍ତା ଆହତ ଥିବାରୁ ଚିକିତ୍ସା ପାଇଁ ବଲାଙ୍ଗୀର ପଠାଯାଇଛି l ଏନେଇ ବନ ବିଭାଗ ପକ୍ଷରୁ ୨ ଅଭିଯୁକ୍ତ, ୩ ମଧ୍ୟସ୍ଥଙ୍କ ସମେତ ମୋଟ ୫ ଜଣଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗିରଫ କରାଯାଇ ସଇଁତଳା କୋର୍ଟ ଚାଲାଣ କରାଯାଇଛି l