କେନ୍ଦ୍ରାପଡା: ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ଅବବାହିକାରେ ବିସ୍ତୁତ ଭିତରକନିକା ଲୁଣା ଜଙ୍ଗଲ ପ୍ରତିବର୍ଷ ବଢିବାରେ ଲାଗିଛି । ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ପରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ୨୦୨୩’ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଗତ ୨ ବର୍ଷରେ ଭଦ୍ରକ ଓ ପୁରୀ ଜିଲ୍ଲାରେ ଲୁଣା ଜଙ୍ଗଲ କମିଥିବା ବେଳେ ଭିତରକନିକାରେ ସବୁଠୁ ଅଧିକ ବୃଦ୍ଧି ପାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟ ବିଭାଗ ପକ୍ଷରୁ ପ୍ରତି ୨ ବର୍ଷରେ ଦେଶରେ ଥିବା ଜଙ୍ଗଲ ଗୁଡିକର ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଉଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ୨୦୨୩ର ମ୍ୟାନଗ୍ରୁଭ୍ କଭର୍ ରିପୋର୍ଟ ଅନୁଯାୟୀ ଦେଶରେ ୭.୪୩ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ହ୍ରାସ ପାଇଛି । ଆନ୍ଧ୍ରପ୍ରଦେଶରେ ୧୩.୦୧ ବର୍ଗ କିମି, ଗୋଆରେ ୧.୯୫ ବର୍ଗ କିମି, କର୍ଣ୍ଣାଟକରେ ୨,୫୪ ବର୍ଗ କିମି, ମହାରାଷ୍ଟ୍ରରେ ୧୨.୩୯ ବର୍ଗ କିମି, ପଶ୍ଚିମବଙ୍ଗରେ ୧.୪୧ ବର୍ଗ କିମି ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ଗୁଜୁରାଟରେ ୩୬.୩୯ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି । ସେହିପରି ଓଡ଼ିଶାର ପୁରୀରୁ ୦.୧୧ ବର୍ଗ କିମି, ଏବଂ ଭଦ୍ରକରୁ ୦.୦୭ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି ।