ଭୁବନେଶ୍ୱର: କେତେବେଳେ ବାତ୍ୟା ଆସିବ, କେତେ ପରିମାଣର ବର୍ଷା ହେବ, କେଉଁଠି ବନ୍ୟା ଆସିବ, ଗରମ ଠାରୁ ଆରମ୍ଭ କରି ଶୀତର ଟିକନିକ୍ ସଠିକ୍ ଖବର ଦେଉଥିବା ଭାରତୀୟ ପାଣିପାଗ ବିଭାଗକୁ ଆଜି ପୂରିଛି ୧୫୦ ବର୍ଷ । ଏହି ଅବସରରେ ଓଡ଼ିଶା ଲୋକସେବା ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ କହିଛନ୍ତି, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫୦ ବର୍ଷ ପୂରଣ କରିଛି । ସେହିପରି ଓଡ଼ିଶାର ବାତ୍ୟା ସୂଚନା କେନ୍ଦ୍ରକୁ ମଧ୍ୟ ୫୦ ବର୍ଷ ପୂରଣ କରିଛି । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯୯୯ ମହାବାତ୍ୟାରେ ୧୦,୦୦୦ ଲୋକଙ୍କୁ ହରାଇଛୁ । କିନ୍ତୁ ଏବେ ଧିରେ ଧିରେ ଗୋଟିଏ ପରେ ଗୋଟିଏ ବାତ୍ୟା ଏବଂ ବନ୍ୟାକୁ ଆମେ ସଫଳତାର ସହିତ ମୁକାବିଲା କରୁଛୁ । ଏହା କେବଳ ଆଇଏମଡିର ସଠିକ୍ ପୂର୍ବାନୁମାନ ଯୋଗୁଁ ସମ୍ଭବ ହୋଇପାରିଛି ।
ସେହିପରି ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶା ଏବଂ ଭାରତର ପରିଚିତ ଚେହେରା ହୋଇପାରିଛନ୍ତି । ତାଙ୍କ ନେତୃତ୍ୱରେ ସେହିପରି ରାଜ୍ୟର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ନେତୃତ୍ୱରେ ସଫଳ ସୂଚନା ସଂଗ୍ରହ କରିବାର ବାରମ୍ବାର ପ୍ରମାଣିତ କରୁଛୁ । ଯୋଗୁଁ
ଏହି ଅବସରରେ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି । ଓଡ଼ିଶାରେ ଏବେ ୨ଟି ଡପଲର ରାଡାର୍ ଅଛି । ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର ରହିଛି । ଆଉ ୩ଟି ସ୍ଥାନରେ ଡପଲର ରାଡାର ପ୍ରତିଷ୍ଠା କରାଯିବ । ଖୁବଶୀଘ୍ର ଭୁବନେଶ୍ଵର, ବାଲେଶ୍ଵର ଓ ସମ୍ବଲପୁରରେ ଲାଗିବ । ଗତକାଲି ସମ୍ବଲପୁରରେ ଏହାର ଶ୍ରୀଗଣେଶ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।
୫ଟି ରାଡାର କାର୍ଯ୍ୟକ୍ଷମ ହେଲେ ପୂର୍ବାନୁମାନର ସଠିକତା ବଢ଼ିଯିବ । ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ଠିକଣା ଓଡ଼ିଶା ହୋଇଯାଇଛି । ଆଞ୍ଚିଳିକ ପାଣିପାଗ ବିଭାଗ ଓ ଆଇଏମଡିର ସହାୟତାରେ ଆହୁରି ନିଖୁଣ ପୂର୍ବାନୁମାନ ହୋଇପାରିବ । ଯେତେ ନିଖୁଣ ପୂର୍ବାନୁମାନ ହେବ, ସେତେ ନିଖୁଣ ପ୍ରସ୍ତୁତି ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଆଇଏମଡି ଯେଉଁଭଳି ସଫଳତାର ସହିତ ପୂର୍ବାନୁମାନ କରି ଭାରତ ବର୍ଷର ଧନ ଜୀବନକୁ ରକ୍ଷା କରି ପାରୁଛି ସେଥିପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଦିଗରେ ସାରା ବିଶ୍ୱକୁ ମାର୍ଗ ଦର୍ଶାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ମନ୍ତ୍ରୀ ।