ଇସ୍ତାନବୁଲ: ତୁର୍କୀର ଏଜିଆନ୍ ପ୍ରଦେଶ ମୁଗଲାରେ ଏକ ଏୟାର ଆମ୍ବୁଲାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଲିକାନାରେ ଥିବା ଏହି ହେଲିକପ୍ଟର ରବିବାର ଘନ କୁହୁଡ଼ି ଯୋଗୁଁ ନିୟନ୍ତ୍ରଣ ହରାଇଥିଲା ଏବଂ ପରେ ସରକାରୀ ଡାକ୍ତରଖାନା କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟ କରିଛି।
ହେଲିକପ୍ଟରରେ ଜଣେ ପାଇଲଟ, ଜଣେ ବୈଷୟିକ କର୍ମଚାରୀ, ଜଣେ ଡାକ୍ତର ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀ ଥିଲେ। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୁଗଲା ଗଭର୍ଣ୍ଣର ଇଦ୍ରିସ ଆକ୍ବିଆକ୍ କହିଛନ୍ତି ଯେ ବିମାନ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। ଆକ୍ବିୟାକ୍ କହିଛନ୍ତି, ହେଲିକପ୍ଟରଟି ଉଡ଼ାଣ ଭରିବା ସମୟରେ ହସ୍ପିଟାଲର ଚତୁର୍ଥ ମହଲାକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲା। ଘନ କୁହୁଡ଼ି ଥିଲା। ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି।
ଦୃଶ୍ୟମାନତା କମ୍ ଥିବାରୁ ମୁଗଲାସ୍ଥିତ ଡାକ୍ତରଖାନାଛାତରୁ ଅନ୍ତଲ୍ୟା ଅଭିମୁଖେ ଉଡ଼ାଣ ଭରିଥିଲା ହେଲିକପ୍ଟର। ଏକ ଟିଭି ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ କୁହୁଡ଼ିରେ ଭାସିଯାଇଥିଲା ଏବଂ ପରେ ଡାକ୍ତରଖାନା ନିକଟରେ ଥିବା ଖାଲି ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତୁର୍କୀର ଦକ୍ଷିଣ-ପଶ୍ଚିମ ଇସ୍ପାର୍ଟା ପ୍ରଦେଶରେ ଆଉ ଏକ ହେଲିକପ୍ଟର ଦୁର୍ଘଟଣାର ଦୁଇ ସପ୍ତାହରୁ କମ୍ ସମୟ ପରେ ଏହି ଘଟଣା ଘଟିଛି, ଯେଉଁଠାରେ ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ଦୁଇଟି ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବାଫଳରେ ୬ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ସେହି ଦୁର୍ଘଟଣାର କାରଣ ସ୍ପଷ୍ଟ କରିନାହିଁ।
ଅଧିକ ପଢ଼ନ୍ତୁ: ବ୍ରାଜିଲର ଗ୍ରାମାଡୋରେ ବିମାନ ଦୁର୍ଘଟଣାଗ୍ରସ୍ତ