ଶିବପୁରୀ: ମଧ୍ୟପ୍ରଦେଶରେ ପୁଣି ଅଗ୍ନିକାଣ୍ଡ ଘଟିଛି। ରାଜ୍ୟରେ ପ୍ରବଳ ଥଣ୍ଡା ଜାରି ଥିବା ବେଳେ ଲୋକେ ଅଗ୍ନିକାଣ୍ଡ ଯୋଗୁଁ ଜୀବନ ହରାଉଛନ୍ତି। ଥଣ୍ଡାରୁ ବର୍ତ୍ତିବା ପାଇଁ ଲୋକେ ନିଆଁ ଜଳାଉଛନ୍ତି। କିନ୍ତୁ ଏହାର ଶିକାର ମଧ୍ୟ ହେଉଛନ୍ତି। ଶିବପୁରୀ ଜିଲ୍ଲାର ବୈରାଡ଼ରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଶୋଇବା ମହଙ୍ଗା ପଡ଼ିଛି। ଏଠାରେ ଲୋକମାନେ ରାତିରେ ଥଣ୍ଡାରୁ ବର୍ତ୍ତିବା ପାଇଁ ନିଆଁ ଜାଳି ଶୋଇଥିଲେ। କିନ୍ତୁ ଅପ୍ରୀତିକର ଘଟଣା ଘଟିଛି। ପୋଡ଼ି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବଞ୍ଜାରା ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।
ଶନିବାର ରାତିରେ ବୈରାଡ଼ରେ ଶୋଇଥିବା ବେଳେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ରାତିରେ ଥଣ୍ଡା ଯୋଗୁଁ ତିନିଜଣ ନିଆଁ ଜାଳି ଶୋଇଥିଲେ। ନିଆଁରୁ ନିଆଁ କୁଡ଼ିଆକୁ ବ୍ୟାପିଯାଇଥିଲା ଏବଂ ସେଥିରେ ଶୋଇଥିବା ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିଭଳି ଶନିବାର ରାତିରେ ମଧ୍ୟପ୍ରଦେଶର ଦେବାସରେ ଏକ ବଡ଼ ଦୁଃଖଦ ଘଟଣା ଘଟିଥିଲା। ଦେବାସ ସହରର ନୟାପୁରା ଅଞ୍ଚଳରେ ମଦନ ସୋଲାଙ୍କି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଶନିବାର ଭୋର ସାଢ଼େ ୪ଟାରେ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ମହାନଗର ନିଗମ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଆରମ୍ଭ କରିଥିଲା।
ଏହି ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ମୃତକମାନେ ହେଲେ ଦିନେଶ କାର୍ପେଣ୍ଟର (୩୫), ଗାୟତ୍ରୀ କାର୍ପେଣ୍ଟର (୩୦), ଇଶିକା (୧୦) ଓ ଚିରାଗ (୭)। କୁହାଯାଉଛି ଯେ ଦିନେଶ ତାଙ୍କ ପରିବାର ସହ ଏହି ଘରେ ରହୁଥିଲେ ଏବଂ ତଳ ମହଲାରେ ଏକ ଦୁଗ୍ଧ ଦୋକାନ ଚଳାଉଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ଦେବାସରେ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ମୃତ