ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହି ଦିବସ ଅବସରରେ ଦେଶର ୭୫ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯିବ । ପୁରସ୍କୃତ କରାଯିବାକୁ ଥିବା ୭୫ଜଣ ଶିକ୍ଷକଙ୍କ ମଧ୍ୟରୁ ୪ ଜଣ ଶିକ୍ଷକ ଓଡ଼ିଶାର ରହିଛନ୍ତି । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିବସ ଅବସରରେ ପ୍ରତିବର୍ଷ ଏହି ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।
ସୂଚନା ଅନୁସାରେ, ଗୁରୁଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଯୋଗ୍ୟ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିବେ । ଶିକ୍ଷକମାନଙ୍କର ଶିକ୍ଷା ପ୍ରତି ନିଷ୍ଠା, ଆଗ୍ରହ, ତ୍ୟାଗ ରହିବା ସହିତ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଶିକ୍ଷା ପ୍ରଦାନ କରିଥିବା ଶିକ୍ଷକମାନଙ୍କୁ ପ୍ରତିବର୍ଷ ଏହି ଦିବସ ଅବସରରେ ପୁରସ୍କୃତ କରାଯାଇଥାଏ । ଚଳିତ ବର୍ଷ 'ଜାତୀୟ ଶିକ୍ଷକ ପୁରସ୍କାର'ର ପରିସରକୁ ବୃଦ୍ଧି କରାଯିବା ସହିତ ସେଥିରେ ଉଚ୍ଚଶିକ୍ଷା ବିଭାଗ ଓ ଦକ୍ଷତା ବୃଦ୍ଧି ମନ୍ତ୍ରଣାଳୟର ଶିକ୍ଷକମାନଙ୍କୁ ସାମିଲ କରାଯାଇଛି । ଏହି ବର୍ଷ ଦେଶର ୫୦ ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷକ, ୧୨ ଜଣ ଦକ୍ଷତା ବୃଦ୍ଧି ମନ୍ତ୍ରଣାଳୟର ଶିକ୍ଷକଙ୍କୁ ପୁରସ୍କୃତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ଓଡ଼ିଶାରୁ ୪ ଜଣ ଶିକ୍ଷକ 'ଜାତୀୟ ଶିକ୍ଷକ ପୁରସ୍କାର' ପାଇବେ । ପୁରସ୍କାର ବାବଦରେ ଏହି ଶିକ୍ଷକଙ୍କୁ ୫୦ ହଜାର ଟଙ୍କା ସହିତ ଏକ ମାନପତ୍ର ଓ ରୌପ୍ୟ ପଦକ ପ୍ରଦାନ କରାଯିବ । ଏହି ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଶିକ୍ଷା କ୍ଷେତ୍ରକୁ ସେମାନେ ଆହୁରି ସମୃଦ୍ଧ କରିବେ ବୋଲି ଟ୍ୱିଟ୍ କରିଛନ୍ତି । ଓଡ଼ିଶା ପାଇଁ ଏହା ଏକ ଗର୍ବର ବିଷୟ । 'ଜାତୀୟ ଶିକ୍ଷକ ପୁରସ୍କାର'ରେ ଓଡ଼ିଶାର ଓଡ଼ିଆ ଶିକ୍ଷକମାନଙ୍କ ନାମ ସାମିଲ ହୋଇଛି ।
ଆଗକୁ ପଢ଼ନ୍ତୁ : ବାହାନଗା ରେଳ ଦୁର୍ଘଟଣା ମାମଲା : ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ