ବର୍ତ୍ତମାନ ଧାନ ଅମଳ ସମୟ କିନ୍ତୁ ଭୟ ବଢ଼ାଉଛି ସମ୍ଭାବ୍ୟ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏବେ ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୩୦ ତାରିଖ ଆଡ଼କୁ ଏକ ଅବପାତର ରୂପ ନେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି କି ଏହାପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ବା ୨ ତାରିଖ ଆଡ଼କୁ ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ବାତ୍ୟାର ରୂପ ନେବ ।
ଏହି ବାତ୍ୟାର ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ହେଲେ ଓଡ଼ିଶା ଉପକୂଳସ୍ଥ ସମୁଦ୍ର ଅଶାନ୍ତ ରହିପାରେ । ଏଣୁ ୧ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏଥିସହ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀମାନଙ୍କୁ ୧ ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ଅବପାତରେ ପରିଣତ ହେବା, ଏହାର ଗତି, ଦିଗ ଏବଂ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ବର୍ଷ ସାରା ପରିଶ୍ରମ କରି ବିଲରେ ସୁନାର ଫସଲ ଫଳାଇଛି ଚାଷୀ। ଯଦି ଅମଳ ସମୟକୁ ଏମିତି ବାତ୍ୟା ଆସେ ତେବେ ମାଟିରେ ମିଶିଯିବ ଚାଷୀଙ୍କ ଫସଲ ଓ ଉଜୁଡିଯିବ ଚାଷୀର ଭବିଷ୍ୟତ।
ଅଧିକ ପଢନ୍ତୁ :ଡିସେମ୍ବର ୪ରୁ ୬ ତାରିଖ ଭିତରେ ଆସୁଛି ବାତ୍ୟା !