ଭୁବନେଶ୍ୱର: ରାଜ୍ୟରେ ପାରାଦ୍ବୀପ ଶିଳ୍ପାଞ୍ଚଳ ହେଉଛି ସବୁଠୁ ଅଧିକ ପ୍ରଦୂଷିତ ସହର ଭାବରେ ଉଭା ହୋଇଛି । ୬୦.୬୧ ସିଇପିଆଇ ସ୍କୋର୍ ସହ ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳ ଭାବେ ପାରାଦୀପ ଟିହ୍ନଟ ହୋଇଛି । ମଙ୍ଗଳବାର ଏନେଇ ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ୨୦୧୮ ମସିହାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାରାଦ୍ବୀପ, ତାଳଚେର, ଭୁବନେଶ୍ୱର ଏବଂ ଅନୁଗୁଳକୁ ଗୁରୁତର ପ୍ରଦୂଷିତ ଅଞ୍ଚଳ ଭାବରେ ବର୍ଗୀକୃତ କରାଯାଇ ନାହିଁ । ତେବେ ଏହି ସହରଗୁଡ଼ିକ ମଧ୍ୟରୁ ପାରାଦ୍ବୀପ ରାଜ୍ୟର ସବୁଠୁ ପ୍ରଦୂଷିତ ଶିଳ୍ପ କ୍ଷେତ୍ର ବୋଲି ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟରେ ଭୁବନେଶ୍ୱର ସହରର ସିଇପିଆଇ ସ୍କୋର ଏପର୍ଯ୍ୟନ୍ତ ଦର୍ଶାଯାଇ ନଥିବା ବେଳେ, ପାରାଦୀପର ସିଇପିଆଇ ସ୍କୋର ୬୦.୬୧ ଥିଲା ଯାହା ଗୁରୁତର ପ୍ରଦୂଷିତ ଅଞ୍ଚଳ ଶ୍ରେଣୀରେ ଆସୁଛି । ସେହିପରି ଅନୁଗୁଳ ଏବଂ ତାଳଚେରକୁ ୬୦ ରୁ କମ୍ ସିଇପିଆଇ ସ୍କୋର ସହିତ ଅନ୍ୟ ପ୍ରଦୂଷିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଦୁଇଟି ସହର ସିଇପିଆଇ ସ୍କୋର ୪୬.୪୩ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ତେବେ ବାୟୁ ଗୁଣବତ୍ତା ବୃଦ୍ଧି କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ନେଇ ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମନ୍ତ୍ରୀ କହିଛନ୍ତି ।