ପୁରୀ: ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସର ପଞ୍ଚକପର୍ବ । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ସମସ୍ତ ଧାର୍ମିକ ସ୍ଥାନ । ଶ୍ରୀ ମନ୍ଦିରରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପଞ୍ଚକ ପାଞ୍ଚ ଦିନ ପଡୁଥିବାବେଳେ ଚଳିତବର୍ଷ ପଞ୍ଚକ ୪ ଦିନ ପାଳିତ ହେବ। ଏଥିପାଇଁ ମହାପ୍ରଭୁ ୪ ଦିନରେ ୪ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ।
ପଞ୍ଚକ ୪ ଦିନରେ ଶ୍ରୀ ମନ୍ଦିରକୁ ଭକ୍ତମାନେ ସିଂହଦ୍ବାରରେ ପ୍ରବେଶ କରିବା ସହିତ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ପାଇଁ ଗରମରୁ ରକ୍ଷା ପାଇଁ ଫ୍ୟାନ୍, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହିତ ସିସିଟିଭିରେ ୨୪ ଘଣ୍ଟା ନଜର ରଖାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ସୂଚନା ମିଳିଛି ।