ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆୟୋଜିତ ପି.ଏମ୍. କିଷାନ୍ ନିଧି ଯୋଜନାର ୧୭ତମ କିସ୍ତିର ହସ୍ତାନ୍ତର ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଭଦ୍ରକ ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ଉପାଧ୍ୟାୟ, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀମାନଙ୍କ ଉଦ୍ଦେଶ୍ୟରେ ପିଏମ୍ କିଷାନ ଯୋଜନାର ଆଭିମୁଖ୍ୟ ଏବଂ କୃଷି ସଖୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାରେ କୃଷିର ଉନ୍ନତି ତଥା କୃଷକର ଆୟ ଦୁଇଗୁଣା କରିବା ପାଇଁ ଜିଲ୍ଲାରେ ଖରିଫ୍ ଚାଷ ଭଳି ରବି ଚାଷ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।
ସୂଚନା ଯୋଗ୍ୟ, ଏହି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି । ୧୭ ତମ କିସ୍ତିରେ ଦେଶର ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉତ୍ତରପ୍ରଦେଶର ବାରାଣାସୀରେ ଏକ କାର୍ଯ୍ୟକ୍ରମରେ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୃଶ୍ୟ ଫଳକ ଜରିଆରେ ସିଧାସଳଖ ସେଠାରେ ସମସ୍ତେ ଦେଖିଥିଲେ । ଏହି କିସ୍ତିରେ ଭଦ୍ରକ ଜିଲ୍ଲାରେ ସମୁଦାୟ ୧ ଲକ୍ଷ ୩୯ ହଜାର ୫୪୩ ଜଣ ଚାଷୀଙ୍କ ଖାତାକୁ ଉକ୍ତ ଅର୍ଥ ହସ୍ତାନ୍ତର କରାଯାଇଛି । ଭଦ୍ରକ ବ୍ଲକ୍ରେ ୨୨,୦୨୭ ବାସୁଦେବପୁରରେ ୨୪,୬୨୬ ଭଣ୍ଡାରିପୋଖରୀର ୧୪,୩୧୫, ବନ୍ତର ୧୩,୭୯୨, ଚାନ୍ଦବାଲିର ୧୮,୯୭୫, ଧାମନଗର ୨୨,୯୯୧, ତିହିଡ଼ିର ୨୨,୮୧୭ ଜଣ ଚାଷୀ ଉପକୃତ ହୋଇଛନ୍ତି ।
ଅଧିକା ପଢନ୍ତୁ: ବିଜେପିର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା