ଭୁଵନେଶ୍ୱର: ଦିଲ୍ଲୀରୁ ଓଡ଼ିଶାକୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ଆସି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।
ତେବେ ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ନବୀନ ଓଡିଶା ଫେରିଛନ୍ତି। ବିଭିନ୍ନ ସାମାଜିକ, ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ସେ ଦିଲ୍ଲୀ ଗସ୍ତ କରିଥିଲେ। ଦିଲ୍ଲୀସ୍ଥିତ ବାସଭବନରେ ୧ ମାସର ରହଣି ମଧ୍ୟରେ ନବୀନ, ନିଜ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କୁ ଭେଟିବା ସହ ବହି କିଣିବା ଏବଂ ପଢିବାରେ ନିଜ ସମୟ ବିତାଇଥିଲେ। ତାଙ୍କ ଫେରିବା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଆଗକୁ ନୂଆପଡ଼ା ବିଧାନସଭା ନିର୍ବାଚନ ଥିବାରୁ ନବୀନଙ୍କ ରଣନୀତି ଅତି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।