ଭୁବନେଶ୍ଵର: ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଆସନ୍ତାକାଲି କଂଗ୍ରେସ ଓ ବାମ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ରାଜ୍ୟବ୍ୟାପୀ ଏହାର ପ୍ରଭାବ ପଡ଼ିପାରେ। ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ବିଭାଗ ଜିଲ୍ଲାପାଳ ଓ ଏସପିଙ୍କୁ ଆଲର୍ଟ କରିଛି।
ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନକାରୀ ଶିକ୍ଷାନୁଷ୍ଠାନ, ମାର୍କେଟ୍, ଅଫିସ ବନ୍ଦ କରି ପାରନ୍ତି। ଟାୟାର ଜାଳି ରାସ୍ତା ଅବରୋଧ କରି ପାରନ୍ତି। କଂଗ୍ରେସ କର୍ମୀମାନେ ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ରାସ୍ତା ଅବରୋଧ କରିପାରନ୍ତି, ଯାହା ଯାନବାହାନ ଚଳାଚଳକୁ ପ୍ରଭାବିତ କରିପାରେ। ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନମାନଙ୍କରେ ରେଳ ରୋକୋ ପ୍ରଦର୍ଶନ ହୋଇପାରେ, ଯାହା ଟ୍ରେନ୍ ଚଳାଚଳକୁ ବାଧାପ୍ରାପ୍ତ କରିପାରେ।
ବନ୍ଦ ସମୟରେ ରାଜ୍ୟରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ବନ୍ଦ ରହିବାର ସମ୍ଭାବନା ରହିଛି। ପରିସ୍ଥିତି ଉପରେ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶାନାମା କରାଯାଇଛି। ଏଥିସହ ଜରୁରୀକାଳୀନ ସେବା ପ୍ରଭାବିତ ନ ହେବା ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି।
ରାଜ୍ୟ ଗୃହ ବିଭାଗ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନ ଆଦି ଗୁରୁତ୍ୱପୂର୍ଣ୍ଣ ଅଫିସଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ସମ୍ଭାବ୍ୟ ରାସ୍ତା ଅବରୋଧ, ବନ୍ଦ ଓ ଆଇନଶୃଙ୍ଖଳା ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କୁ ସକାଳ ସକାଳ ଅଫିସ ଆସିବା, ଗେଟ୍ରେ ପ୍ରବେଶ ନିୟନ୍ତ୍ରଣ, ପରିଚୟ ପତ୍ର ଯାଞ୍ଚକୁ କଡ଼ାକଡ଼ି କରିବା ଏବଂ ଅଫିସ ଭିତରେ ଅନାବଶ୍ୟକ ଗତିବିଧି ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍ ଏମ୍ କଲେଜର ଏଜୁକେସନ ବିଭାଗ ମୁଖ୍ୟ ଆସିଷ୍ଟାଣ୍ଟ୍ ପ୍ରଫେସର ସମୀର ସାହୁଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ନ୍ୟାୟ ନ ମିଳିବାରୁ ଗତ ଶନିବାର ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କ ଚାମ୍ବର ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମ ଦାହ ଉଦ୍ୟମ କରିଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି ।