ପୁରୀ: ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ କାହିଁ କେଉଁ ଆଡୁ ପୁରୀକୁ ଭକ୍ତଙ୍କ ସୁଅ ଝୁଟୁଛି । ବଡଦାଣ୍ଡ ପୁଣି ଥରେ ଲୋକାରଣ୍ୟ ହୋଇପଡିବ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ହେଲାଣି ବୋଲି ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ଯୋଗୁଁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କ କରାଯାଇଛି ।
ଓଡ଼ିଶା ପୋଲିସ ପକ୍ଷରୁ ଏକ ସତର୍କ ବାର୍ତ୍ତା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ପଠାଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଛି । ବାଟଗାଁ/ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ଓଡ଼ିଶା ପୋଲିସର ନିବେଦନ ।
ଶରଧାବାଲିରେ ଘଟିଥିବା ଅଘଟଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ। ଏହା ପରେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ କିପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି।