ଭୁବନେଶ୍ୱର : ଦିଲ୍ଲୀ ବୋମା ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏପରି ସମ୍ବେଦନଶୀଳ ଘଟଣା ପରେ ସଜାଗ ହୋଇଛି ଓଡ଼ିଶା ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ ସଂଘ । ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଥିବା ହୋଟେଲ ଗୁଡ଼ିକରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରିବାକୁ ସଂଘ ମାଲିକ ମାନଙ୍କୁ ପରାମର୍ଶ ଦେଇଛି । ଅନ୍ୟପଟେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷପତ୍ର ଉପରେ ସନ୍ଦେହ ସୃଷ୍ଟି ହେଲେ ତୁରନ୍ତ ପୁଲିସକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପର୍ଯ୍ୟଟକମାନେ ମଧ୍ୟ ଯାଞ୍ଚରେ ହୋଟେଲ ମାଲିକଙ୍କୁ ସହଯୋଗ କରିବାକୁ ସଂଘ ଅପିଲ୍ କରିଛି ।
ନୂଆଦିଲ୍ଲୀ ଲାଲକିଲ୍ଲାରେ ବିସ୍ଫୋରଣ ପରେ ସାରା ଓଡ଼ିଶାରେ ହାଇଆଲର୍ଟ ଜାରି ହୋଇଛି । ବିଶେଷକରି ଭୁବନେଶ୍ବର, କଟକ ଓ ପୁରୀରେ ସୁରକ୍ଷା ବ୍ଯବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ଚାରି ପ୍ରବେଶ ଦ୍ବାରରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ମନ୍ଦିର ଚାରିପଟେ ତନଖି ଯାଞ୍ଚ କରୁଛନ୍ତି। ୱାଚ୍ ଟାୱାରଗୁଡ଼ିକରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ରେଳ ଷ୍ଟେସନ ଓ ପୁରୀ ବସ୍ଷ୍ଟାଣ୍ଡରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସାରା ରାଜ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ଐତିହ୍ୟସ୍ଥଳୀ ଓ ହୀରାକୁଦ ଡ୍ୟାମ୍ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏଥି ସହିତ ସମସ୍ତ ସହରର ପ୍ରବେଶ ପଥ ଏବଂ ପ୍ରସ୍ଥାନ ପଥ ଗୁଡ଼ିକୁ କଡା ନଜରରେ ରଖାଯାଇଛି।