ଭୁୁବନେଶ୍ୱର: ଓଡ଼ିଶାରେ ସରକାରୀ ସେବାରେ ନିୟୋଜିତ ଦନ୍ତ ଚିକିତ୍ସକମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡର ଅଧୀନରେ କାମ କରୁଥିବା ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି।
ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଜାତୀୟ ମେଡିକାଲ କମିଶନ (NMC) ଦ୍ୱାରା ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍ (PG) ଡିଗ୍ରୀ ହାସଲ କରିଥିବା ଏବଂ ସ୍ୱାସ୍ଥ୍ୟ ବିଭାଗରେ ସେବା ଯାଉଥିବା ସମସ୍ତ ଦନ୍ତ ବିଶେଷଜ୍ଞଙ୍କୁ ଏଣିକି ପ୍ରତିମାସରେ ଅତିରିକ୍ତ ଭାବେ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ପ୍ରଦାନ କରାଯିବ।
ବିଭାଗ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରୋତ୍ସାହନ ବ୍ୟବସ୍ଥା ଅଗଷ୍ଟ ୨୯, ୨୦୨୬ ତାରିଖରୁ ହିଁ ପ୍ରଭାବଶାଳୀ ହେବ। ଏହି ସନ୍ଦର୍ଭରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରାଯାଉଛି।
ଉଚ୍ଚଶିକ୍ଷିତ ତଥା ପିଜି ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକମାନଙ୍କୁ ସରକାରୀ ସେବାରେ ଅଧିକ ପ୍ରୋତ୍ସାହିତ କରିବା ଏବଂ ସାଧାରଣ ଜନତାଙ୍କୁ ଉନ୍ନତମାନର ବିଶେଷଜ୍ଞ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅର୍ଥ ବିଭାଗର ଆନୁଷ୍ଠାନିକ ସମ୍ମତି ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାକି ଡାକ୍ତରୀ ମହଲରେ ବେଶ୍ ସ୍ୱାଗତଯୋଗ୍ୟ ବିବେଚିତ ହୋଇଛି।