ଭୁୁବନେଶ୍ୱର: ଶୁକ୍ରବାର ନୂଆପଡା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଆଉ କେଇ ଘଣ୍ଟା ପରେ ଅର୍ଥାତ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ୍ ୨୬ ରାଉଣ୍ଡରେ ହେବ ଗଣତି । ପ୍ରଥମେ ବାଲାଟ୍ ପେପର ଗଣତି ହେବ ପରେ ୮ଟା ୩୦ରେ ଇଭିଏମ ଖୋଲା ଯାଇ ଗଣତି ଆରମ୍ଭ ହେବ । ସେପଟେ ଧଡ ଧଡ ହେଲାଣି ନେତାଙ୍କ ଛାତି । କିଏ ଜିତିବ ନୂଆପଡା ଗଡ ସେ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ପ୍ରତି ଟେବୁଲ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ୱରେ ରହିବେ । ତାଙ୍କୁ କାଉଣ୍ଟି ଆସିଷ୍ଟାଣ୍ଟ ସହଯୋଗ କରିବେ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣ୍ଣିଂ ଅଫିସର । ନୂଆପଡା ନ୍ୟାସନାଲ କଲେଜରେ ଭୋଟ୍ ଗଣତି କେନ୍ଦ୍ର ରହିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଏଥିପାଇଁ ଦୁଇ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ଟିମ୍ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ମତଦାନ ହୋଇଥିଲା । ଏହି ନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ଭୋଟିଂ ହୋଇଛି । ଜନତା ଜବରଦସ୍ତ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମଇଦାନରେ ଅଛନ୍ତି ୧୪ ପ୍ରାର୍ଥୀ । ତେବେ ଏଠି ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ଚାଲିଛି ତ୍ରିମୁଖୀ ଲଢେଇ । ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀ ମଇଦାନରେ । ତିନି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି ।