ନିକଟରେ ରାଇରଙ୍ଗପୁରବାସୀଙ୍କ ଦୀର୍ଘ ଦିନର ଆଶା ପୁରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଏକ ମେମୁ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନଟି ଟାଟାନଗର-ବାଦାମପାହାଡ ପର୍ଯ୍ୟନ୍ତ ଚଳାଚଳ କରିବ। ତେବେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ପ୍ରମୁଖ ଉପସ୍ଥିତ ରହି ସଭାକୁ ସମ୍ବୋଧନ କରିଥିଲେ।
କାର୍ଯ୍ୟକ୍ରମର ଉଦ୍ଘାଟନ ବାମନଘାଟୀ ଉପଖଣ୍ଡ ବାଦାମପାହାଡ ରେଳ ଷ୍ଟେସନ ନିକଟରେ ହୋଇଥିଲା। ଏଥିରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ। ଭିସି ମାଧ୍ୟମରେ ଉଦ୍ଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସମୟରେ ଏହି ଟ୍ରେନ୍ ଭାରତର ଅର୍ଥନୀତି, ବେପାର ବାଣିଜ୍ୟର ଉନ୍ନତି ହେବା ସହିତ ଭାରତ ଇତିହାସରେ ନୂଆ ଯୁଗର ଅୟମାରମ୍ଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ।
ସୂଚନାଯୋଗ୍ୟଯେ, ସନ୍ଧ୍ୟା ସମୟରେ ଟାଟାନଗର ରେଳ ଷ୍ଟେସନରୁ ବାଦାମପାହାଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ଟ୍ରେନ ଚଳାଚଳ ପାଇଁ ଦୀର୍ଘ ଦିନରୁ ରାଇରଙ୍ଗପୁରବାସୀଙ୍କ ଦାବି ରହିଆସୁଥିଲା । କାରଣ ରାଇରଙ୍ଗପୁର ଉପଖଣ୍ଡର ଲୋକେ ବିଭିନ୍ନ ବ୍ୟବସାୟ ପାଇଁ ଅଧିକାଂଶ ସମୟ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁ୍ର ଯାଉଥିବା ବେଳେ ସନ୍ଧ୍ୟା ସମୟରେ ଫେରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ସନ୍ଧ୍ୟାକାଳୀନ ଟ୍ରେନ ଚଳାଚଳର ଶୁଭ ଉଦଘାଟନ ହେବା ପରେ ରାଇରଙ୍ଗପୁର ଉପଖଣ୍ଡବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଶୁକ୍ରବାର ପରୀକ୍ଷାମୂଳକ ଭିତ୍ତିରେ ଟାଟାନଗର ରେଳ ଷ୍ଟେସନରୁ ବାଦାମପାହାଡ ରେଳ ଷ୍ଟେସନ ପହଞ୍ଚି ଥିଲା ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ। ଏହି ମେମୁ ଟ୍ରେନ ସନ୍ଧ୍ୟା ୬.୦୦ ସମୟରେ ଟାଟା ନଗର ରେଳ ଷ୍ଟେସନରୁ ବାହାରି ହଳଦୀ ପୋଖରୀ, ସିରିଡିସାଇ, ବହଳଦା ରୋଡ, ଅଁଳାଯୋଡି, ଗୋରୁମହିଷାଣୀ, ରାଇରଙ୍ଗପୁର, କୁଲଡ଼ିହା, ଛଣୁଆ ରେଳ ଷ୍ଟେସନ ଦେଇ ରାତି ୯.୦୫ ସମୟରେ ବାଦାମପାହାଡ ପହଞ୍ଚିବ। ପୁଣି ରାତି ୯.୧୫ ସମୟରେ ବାଦାମପାହାଡ ରେଳ ଷ୍ଟେସନରୁ ଛାଡ଼ି ରାତି ୧୧.୩୦ ସମୟରେ ଟାଟାନଗର ରେଳ ଷ୍ଟେସନକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚୀମାର ମୃତ୍ୟୁ