ସଙ୍କଟ ହାରିଣୀ ହେଉଛନ୍ତି ମା’ ତାରିଣୀ । ମା’ର ଲୀଳା ଅପାର ଆଉ ଶକ୍ତି ଅସୀମ । ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଉଛନ୍ତି ମା’ ତାରିଣୀ । କୁହାଯାଏ ଯେ, ୧୪୮୦ରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ମା’ ତାରିଣୀଙ୍କ ମନ୍ଦିରକୁ ନିର୍ମାଣ କରିଥିଲେ । ମା’ ତାରିଣୀଙ୍କଠାରେ ମନାସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ସେଥିପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ମା’ଙ୍କ ନିକଟକୁ ନିଜର ଦୁଃଖ ଜଣାଇବା ଲାଗି ଆସିଥାନ୍ତି । ମା’ଙ୍କ ପାଖକୁ ଭକ୍ତ ଖାଲି ହାତରେ ଆସେ କିନ୍ତୁ ଖାଲି ହାତରେ କେବେ ଫେରେନି । ସେଥିପାଇଁ ପ୍ରତିଦିନ ମା’ଙ୍କ ନିକଟକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ମା’ ତାରିଣୀ ଶୂନ୍ୟ ହାତରେ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ମା’ ତାରିଣୀଙ୍କ ପ୍ରିୟ ହେଉଛି ନଡ଼ିଆ । ଭକ୍ତ ଯେତେବେଳେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯାଏ ସାଙ୍ଗରେ ନଡ଼ିଆ ନେଇକି ଯାଏ ।
ପୌରାଣିକ କଥା ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କର ବନବାସ ବେଳେ ଦୁଷ୍ଟ ରାବଣ ସୀତାଙ୍କୁ ହରଣ କରି ନେଇ ଯିବା ପରେ, ପ୍ରଭୁ ରାମ ଓ ଲକ୍ଷ୍ମଣ ଭୟଭୀତ ହୋଇ ଶକ୍ତିମୟୀ ମା’ ଦୁର୍ଗାଙ୍କୁ ଆରାଧନା କରିଥିଲେ । ତାଙ୍କର ସେହି ଆରାଧନାରେ ସନ୍ତୁଷ୍ଟ ହୋଇ ମା’ ଦୁର୍ଗା ଶୂନ୍ୟବାଣୀ କରିଥିଲେ । କହିଲେ ବତ୍ସ’ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ଦେବୀ ମା’ ତାରିଣୀ ରୂପେ ଆର୍ବିଭୂତ ହେବି । ତୁମେ ଯଦି ମୋତେ ଦେଖିବାକୁ ଚେଷ୍ଟା କରିବ ତାହାଲେ ମୁଁ ପାଷାଣରେ ପରିଣତ ହୋଇଯିବି ।
ତାହା ଶୁଣିଲା ପରେ ପ୍ରଭୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଧ୍ୟାନମଗ୍ନ ହୋଇ ରହିଲେ । ସେହି ସମୟରେ ଦେବୀ ଦୁର୍ଗାଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ରାମଚନ୍ଦ୍ର ମା’ଙ୍କ ପାଦ ଛୁଇଁଲା ବେଳେ ହଠାତ୍ ରାମଚନ୍ଦ୍ରଙ୍କର ଗୋଟେ ଆଖି ଫିଟି ଯାଇଥିଲା । ତା’ପରେ ନିଜ ଆଖିରେ ମା’ ଦୁର୍ଗାଙ୍କୁ ଦର୍ଶନ କରିଥିଲେ ପ୍ରଭୁ ରାମଚନ୍ଦ୍ର । ସେହି ସମୟରେ ଦେବୀ ସମସ୍ତ ସଙ୍କଟ ହରଣ କରିବାର ପ୍ରତିଶୃତି ଦେଇ ପୂର୍ବ ସର୍ତ୍ତ ଅନୁଯାୟୀ ପାଷାଣରେ ପରିଣତ ହୋଇ ଯାଇଥିଲେ । ସେହିଦିନ ଠାରୁ ମା’ ଦୁର୍ଗା,ମା’ତାରିଣୀ ନାମରେ ନାମିତ ।
ମା’ ତାରିଣୀଙ୍କର ବଡ ପର୍ବ ହେଉଛି ଚଇତି ପର୍ବ । ପ୍ରତିବର୍ଷ ଏହି ପର୍ବକୁ ଘଟଗାଁରେ ବେଶ ଧୂମଧାମରେ ପାଳନ କରାଯାଏ । ଏହି ସମୟରେ ମାଜଣା, ଷୋଡ଼ଷ ଉପଚାର, ମଙ୍ଗଳ ଆଳତି ଓ ବଡ଼ସଂହାର ପରେ ମା’ ତାରିଣୀଙ୍କର ସୁନାବେଶ ମଧ୍ୟ ହୋଇଥାଏ । ଭୋର ୫ରୁ ୬ ଘଟିକା ଯାଏ ଚଇତି ପହଡ଼ ଖୋଲିଥାଏ । ପହଡ଼ ଖୋଲିଲେ ଭକ୍ତମାନେ ଧାଡ଼ି କରି ମା’ ଙ୍କର ଦର୍ଶନ କରିଥାନ୍ତି । ଚଇତିପର୍ବରେ ପ୍ରତିଦିନ ମା'ଙ୍କର ସୁନାବେଶ ହେବା ସହ ସକାଳ ଓ ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ଭାବେ ମଙ୍ଗଳଆଳତୀ, ଭାଗବତ ପାଠ, ଚଣ୍ଡିପାଠ, ହୋମଯଜ୍ଞ ଓ ସତ୍ୟନାରାୟଣଙ୍କ ଆସ୍ଥାନ ପୂଜା ବିଧି ଭାବରେ କରାଯାଇଥାଏ । କୁହାଯାଏ, ମା' ଙ୍କୁ ସୁନାବେଶରେ ଦେଖିଲେ ଅନେକ ପୁଣ୍ୟ ଫଳ ମିଳିଥାଏ ।
ଆଗକୁ ପଢ଼ନ୍ତୁ : ଭଗବାନ ଶିବଙ୍କ ପୂଜାର ମହତ୍ତ୍ୱ