ଆଜି ହେଉଛି ସୋମବାର । ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଏ । ସେ ହେଉଛନ୍ତି ସୃଷ୍ଟିର ସଂହାରକର୍ତ୍ତା । ଭଗବାନ ଶିବଙ୍କୁ ସମଗ୍ର ବିଶ୍ୱର ପିତା ଏବଂ ପାର୍ବତୀଙ୍କୁ ବିଶ୍ୱର ମାତା ବୋଲି ମଧ୍ୟ କୁହାଯାଏ । ପ୍ରଭୁ ଶିବ ଭଗବାନଙ୍କର ବିଭିନ୍ନ ନାମ ମଧ୍ୟରେ ନୀଳ କଣ୍ଠ, ଜଟାଧାରୀ, ତ୍ରୀନାଥ,ପାର୍ବତୀପତି, ଗଙ୍ଗାଧର ଏବଂ ଭୋଳାବାବା ରହିଛି । ଭକ୍ତ ତାଙ୍କୁ ଯେମିତି ଡ଼ାକେ ସେ ଭକ୍ତର ଡ଼ାକ ସେମିତି ଶୁଣନ୍ତି । ଭଗବାନ ଶିବଙ୍କୁ କୋପେ ବର ଏବଂ ତପେ ବର ମଧ୍ୟ କୁହାଯାଏ । ଭଗବାନ ଶିବଙ୍କ କଥାକୁ ନେଇ ବହୁ ବହି, ପୁରାଣ ଏବଂ କିମ୍ବଦନ୍ତୀ ମଧ୍ୟ ରହିଛି । ଭକ୍ତ ନିଜର ମାନସିକ ପୂରଣ କରିବା ପାଇଁ ଶିବ ଆରାଧନା ସହିତ, ତ୍ରୀନାଥ ମେଳା, ଷୋଳ ସୋମବାର ବ୍ରତ, ଶ୍ରାବଣ ମାସ ବ୍ରତ ଇତ୍ୟାଦି କରିଥାନ୍ତି । ସୋମବାର ଦିନଟି ହେଉଛି ଭଗବାନ ଶିବଙ୍କର ପ୍ରିୟ ବାର l ଏହିଦିନ ମହାଦେବ ଏକୁଟିଆ ନୁହେଁ ତାଙ୍କର ସମସ୍ତ ପରିବାର ସହିତ ଏକତ୍ରିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି l ଭକ୍ତ ମାନେ ଯଦି ଏହିଦିନ ଭଗବାନ ଶିବଙ୍କୁ ମନ ପ୍ରାଣ ଦେଇ ପୂଜା କରିଥାନ୍ତି ତେବେ ଦୁଃଖ ,ରୋଗ ,କ୍ଳେଶ ଓ ଆର୍ଥିକ ଅସୁବିଧା ଦୂର ହୋଇଥାଏ । ସୋମବାର ଦିନ ଶିବଙ୍କୁ ପୂଜା କରିବା ସମୟରେ କେବେବି କଳା ବସ୍ତ୍ର ଧାରଣ କରିବେ ନାହିଁ, ହଳଦିଆ ,ନାଲି ,କମଳା କିମ୍ବା ଧଳା ବସ୍ତ୍ର ଧାରଣ କରିପାରିବେ ।
ଆସନ୍ତୁ ଜାଣିବା କାହିଁକି କରିବା ଶୈବ ପୂଜା –
୧. ଭୋଳାବାବା ଶୀଘ୍ର ବରଦାନ କରିଥାନ୍ତି । ଯଦି ଆପଣ ଶୁଦ୍ଧ ମନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ତେବେ ଆପଣଙ୍କ ମନୋସ୍କାମନା ଖୁବ ଶୀଘ୍ର ପୂରଣ ହୋଇପାରିବ ।
୨. ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ଖୁବ ସହଜ । ଭଗବାନ ଶିବ ଅନ୍ୟ ଦେବୀ ଦେବତାମାନଙ୍କ ପରି ଗହଣା, ବସ୍ତ୍ର ଉପକରଣ ଆବଶ୍ୟକ କରିନଥାନ୍ତି । କିଛି ବେଲ ପତ୍ର,ଦୁଦୁରା ଫୁଲ, ବିଭୂତି ଏବଂ ଜଳ ଦ୍ୱାରା ଭୋଳାବାବାଙ୍କ ମନକୁ ଜିତି ହେବ । ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।
୩. ଭଗବାନ ଶିବ ଗଙ୍ଗାଙ୍କ ରୂପରେ ସମଗ୍ର ବିଶ୍ୱରେ ଜ୍ଞାନ ଏବଂ ବୃଦ୍ଧି ବିସ୍ତାର କରିଥାନ୍ତି । ସେ ଏକାଧାରାରେ ସଂଗୀତକାର, ନୃତ୍ୟକାର ଏବଂ ଗାୟକ ମଧ୍ୟ । ତେଣୁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବୃଦ୍ଧି ଏବଂ ଜ୍ଞାନ ବୃଦ୍ଧି ପାଇଥାଏ ।
ଆସନ୍ତୁ ଜାଣିବେ କିପରି କରିବେ ଭଗବାନ ଶିବଙ୍କୁ ପୂଜା –
୧. ଘରେ ଭଗବାନ ଶିବଙ୍କର ଶିବଲିଙ୍ଗ ଅପେକ୍ଷା ଭଗବାନଙ୍କ ମୂର୍ତ୍ତି ପୂଜା କରନ୍ତୁ । ଲିଙ୍ଗ ବ୍ୟତୀତ ଗୋଟିଏ ମୂର୍ତ୍ତି ରଖି ପୂଜା କରନ୍ତୁ । କାରଣ ଘରେ ଶିବଙ୍କର ଗୋଟିଏରୁ ଅଧିକ ମୂର୍ତ୍ତି ପୂଜା ଦ୍ୱାରା ଘରେ ବିପରୀତ ପ୍ରଭାବ ପଡିଥାଏ ।
୨. ସେହି ମୂର୍ତ୍ତି ସମ୍ମୁଖରେ ସର୍ବଦା ପ୍ରଣାୟାମ କରିବା ସହିତ ପୂଜା କରିବା ସମୟରେ କିଛି ସମୟ ଧ୍ୟାନରେ ବସନ୍ତୁ ।
୩. ସର୍ବଦା ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
୪. ଭଗବାନ ଶିବଙ୍କୁ ବେଲପତ୍ର, ବିଭୂତି, ଦୁଦୁରା ଫୁଲ ଦେଇ ପୂଜା କରନ୍ତୁ ।
୫. ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଇ କିଛି କ୍ଷୀର ଓ ଜଳ ଅର୍ପଣ କରନ୍ତୁ ।
୬. ଯଦି ଆପଣ ମୂର୍ତ୍ତୀ ପୂଜା କରୁଛନ୍ତି ତେବେ ମୂର୍ତ୍ତୀକୁ ଭଲ ଭାବେ ପରିଷ୍କାର କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା ପୂଜା କରନ୍ତୁ ।
ସୋମବାର ଭଗବାନ ଶିବଙ୍କୁ ନିଷ୍ଠାର ସହିତ ପୂଜା କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ ।
ଆଗକୁ ପଢ଼ନ୍ତୁ : ଜଣାନ୍ତୁ କିପରି କରିବେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ