ଆଜି ସମସ୍ତ ଶକ୍ତିପୀଠରେ କୁଷ୍ମାଣ୍ଡା ବେଶରେ ପୂଜା ପାଇବେ ମା । ପ୍ରତିବର୍ଷ ଅଶ୍ୱିନ ମାସରେ ମା ଜଗତ ଜନନୀ ପୂଜା ପାଇଥାନ୍ତି ।ମା ଦୁର୍ଗାଙ୍କର ପୂଜା ଅବସରରେ ସମସ୍ତ ଶକ୍ତିପୀଠରେ ଷୋଡଶ ପୂଜା ମଧ୍ୟ ଆରମ୍ଭ ହେବ ସହ ନବଦିନାତ୍ମକ ପୂଜା ମଧ୍ୟ ଆରମ୍ଭ ହୋଇସାରିଛି। ଜଗତ ଜନନୀ ମାଙ୍କୁ ଯିଏ ଯେଉଁଭଳି ଡାକେ ସେ ଭଳି ଶୁଣିଥାନ୍ତି । କୁହାଯାଏ ମା ସବୁବେଳେ ସନ୍ତାନର ହିତ ପାଇଁ ରହିଥାନ୍ତି । ଭକ୍ତଙ୍କ ରକ୍ଷା ପାଇଁ ସେ ଦୁର୍ଗାର ରୂପ ନେଇକି ମହିଷାସୁରକୁ ବଦ୍ଧ କରିଥିଲେ । ଶୈଳପୁତ୍ରୀ,ବ୍ରହ୍ମଚାରିଣୀ ଓ ଚନ୍ଦ୍ରଘଣ୍ଟା ବେଶ ପରେ ଆଜି ମାଙ୍କର କୁଷ୍ମାଣ୍ଡା ବେଶ ।
ମା’ କୁଷ୍ମଣ୍ଡାଙ୍କୁ ନବରାତ୍ରୀର ଚତୁର୍ଥ ଦିନରେ ପୂଜା କରାଯାଏ। ମା’ଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗ ବ୍ୟବହୃତ ହୁଏ। ଏହି ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଏବଂ ମା’ ଙ୍କୁ କୌଣସି ହଳଦିଆ ଜିନିଷ ପ୍ରଦାନ କଲେ ଶୁଭଫଳ ମିଳିଥାଏ । ହଳଦିଆ ରଙ୍ଗ ଆନନ୍ଦର ପ୍ରତୀକ ଭାବରେ ବିବେଚନା କରାଯାଏ ।
ପୌରାଣିକ କଥାନୁସାରେ ଯେତେବେଳେ ସଂସାରର କୌଣସି ଅସ୍ତିତ୍ୱ ନଥିଲା । ପ୍ରତ୍ୟେକ ସ୍ଥାନରେ କେବଳ ଘନ ଅନ୍ଧକାର ଛାଇ ହୋଇଥିଲା ସେହି ସମୟରେ ମା ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପ ଜନ୍ମ ନେଇ ବ୍ରହ୍ମାଣ୍ଡର ରଚନା କରିଥିଲେ । ସୃଷ୍ଟି ର ଆଦି ସ୍ୱରୂପ ହେଉଛନ୍ତି ମା କୁଷ୍ମାଣ୍ଡା ।
ନବରାତ୍ରୀରେ ମା ଦୁର୍ଗାଙ୍କ ଚତୁର୍ଥ ସ୍ୱରୂପ ହେଉଛନ୍ତି ଅଷ୍ଟଭୂଜା ମା କୁଷ୍ମାଣ୍ଡା । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଅଛି କି ମା ଦୁର୍ଗାଙ୍କର ଏହି ସ୍ୱରୂପରୁ ବ୍ରହ୍ମାଣ୍ଡ ରଚନା ହୋଇଥିଲା । ମା'ଙ୍କର ଏହି ରୁପକୁ ରୋଗ ବିନାଶକ ଦେବୀ ବୋଲି କୁହାଯାଏ । ମା କୁଷ୍ମାଣ୍ଡାଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତଙ୍କ ଗଭୀର ରୋଗ ଭଲ ହୋଇଯାଏ । ଏହାସହିତ ମାଙ୍କର ଆରୋଗ୍ୟ ବରଦାନ ପ୍ରାପ୍ତ ହୋଇଥାଏ । ମା'ଙ୍କର ଏହି ବେଶ ଦର୍ଶନ କରିବାକୁ ସମସ୍ତ ଶକ୍ତିପୀଠରେ ଭିଡ ଲାଗିରହିଛି ।
ଅଧିକ ପଢନ୍ତୁ :ଆଜି ମାଙ୍କ ଚନ୍ଦ୍ରଘଣ୍ଟା ବେଶ