ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଫଳରେ ଭିଜୁଛି ସାରା ଓଡିଶା। ଏପରିକି ବର୍ଷାର ପରିମାଣ ବଢିବା ହେତୁ ପ୍ରଭାବିତ ହୋଇଛି ଜନଜୀବନ। ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ତେବେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ପାଇଁ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିଲା। ଆଜି ୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ସକ୍ରିୟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକରୁ ଅଧିକ ବର୍ଷିବ। ତେବେ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାସହିତ ବିଭିନ୍ନ ସ୍ଥାନରେ ୩୦ରୁ ୪୦ ବେଗରେ ପବନ ବୋହିବା ସହିତ ଘଡଘଡି ମରିବାର ସମ୍ଭାବନା ମଧ୍ୟ ରହିଛି। ଏପରିକି ଏହି ବର୍ଷା ପରିମାଣ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେବେ ସମୁଦ୍ରରେ ମଧ୍ୟ ଜଳର ପରିମାଣ ବଢୁଥିବା ହେତୁ ସମୁଦ୍ରକୂଳକୁ ନ ଯିବାକୁ ବାରଣ କରାଯାଇଛି।