ଭୁବନେଶ୍ୱର : ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମଓଡ଼ିଶାର ପୁରପଲ୍ଲୀ। ଗାଁରୁ ସହର, ସବୁଠି ଚାଲିଛି ପ୍ରସ୍ତୁତି। ଆଜି ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରଦ୍ବାର ଖୋଲି ଦିଆଯିବ। ତେବେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସଂସ୍କୃତି , ସମୃଦ୍ଧି ଓ ଏକତାର ପ୍ରତୀକ ନୂଆଁଖାଇ ତିହାର। ନୂଆ ଆଶା ନେଇ ଆସିଥିବା ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ଏହା ହିଁ ମୁଁ ମାଆ ସମଲେଇଙ୍କ ପାଖରେ ଗୁହାରି କରୁଛି।
ଅନ୍ୟପଟେ ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାର ସମସ୍ତଙ୍କ ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି। ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ। ସେହିଭଳି କଣ୍ଟାପାଲି ଜମିଦାରଙ୍କ ଘରୁ ମାଆଙ୍କ ପାଇଁ ସ୍ୱତନ୍ତ୍ର ନୂଆଁଖାଇ ଭାର ଆସିଛି। ଏହାରି ଭିତରେ ମାଆଙ୍କ ଅଳଙ୍କାର ମାର୍ଜଣା ମଧ୍ୟ କରାଯିବ। ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ପରିବାର ଲୋକେ। ଅପରପକ୍ଷରେ ନୂଆଁଖାଇ ଅବସରରେ ମନ୍ଦିରର ଭୋଗମଣ୍ଡପକୁ ସ୍ବତନ୍ତ୍ର ଅତିଥିମାନଙ୍କ ଆଗମନ ହେଉଥିବାରୁ ଅନ୍ନ, ଡାଲି, ପନିର ତରକାରୀ, ପାଏସ ସହିତ ୧୨ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେବ ବୋଲି ଟ୍ରଷ୍ଟବୋର୍ଡ ସଦସ୍ୟ ସୂଚନା ଦେଇଛନ୍ତି।