ବ୍ରହ୍ମଗିରିର ଅଧିଷ୍ଠାତା ପ୍ରଭୁ ଅଲାରନାଥଙ୍କର ଆଜି ହେବ ପୁଷ୍ୟାଭିଷେକ ନୀତି। ପ୍ରଭୁ ଅଲାରନାଥ ୧୦୮ ଗରା ଜଳରେ ସର୍ବାଙ୍ଗ ସ୍ନାନ କରିବେ ଏବଂ ରାଜାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଅଲାରନାଥଙ୍କ ସ୍ନାନ ପାଇଁ ମନ୍ଦିରରେ ପହଞ୍ଚିଛି ପଞ୍ଚତୀର୍ଥ ଜଳ। ଆଜିର ନୀତିକାନ୍ତି ନିମନ୍ତେ ସେବାୟତ ନିଯୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ଧୂପ ପରେ ଦେବ ଆବାହନ ହୋମ କରାଯାଇ, ମନ୍ତ୍ରସିଦ୍ଧ ଜଳରେ ଚନ୍ଦନ, ଅଗୁର, ଅତର, ଜାଇଫଳ, କର୍ପୁର ଓ କେଶର ଆଦି ମିଶ୍ରଣ କରାଯାଇ ମହାପ୍ରଭୁ ଅଲାରନାଥଙ୍କୁ ସର୍ବାଙ୍ଗ ସ୍ନାନ କରାଯିବ। ତେବେ ପ୍ରଭୁ ଅଲାରନାଥଙ୍କର ଏହି ପୁଷ୍ୟାଭିଷେକ ବେଶ ଦେଖିବା ପାଇଁ ସକାଳୁ ସକାଳୁ ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।
ସୂଚନା ମୁତାବକ , ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜି ବ୍ରହ୍ମଗିରିର ଅଧିଷ୍ଠାତା ପ୍ରଭୁ ଅଲାରନାଥଙ୍କର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ପ୍ରଭୁ ଅଲାରନାଥଙ୍କ ସ୍ନାନ ପାଇଁ ମହୋଦଧି, ତ୍ରିବେଣୀ ଘାଟ, ଅର୍ଜୁନ ସର ଆଦି ବିଭିନ୍ନ ତୀର୍ଥସ୍ଥଳରୁ ଜଳ ସଂଗ୍ରହ କରାଯାଇ ଗର୍ଭଗୃହରେ ରଖାଯାଇଛି। ଆଜିର ସମସ୍ତ ନୀତିକାନ୍ତି ସଠିକ ଭାବରେ ହେବା ନିମନ୍ତେ ସେବାୟତ ନିଯୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାସହିତ ପ୍ରଭୁ ଅଲାରନାଥଙ୍କ ମଧ୍ୟାହ୍ନ ଧୂପ ପରେ ଦେବ ଆବାହନ ହୋମ କରାଯାଇ, ମନ୍ତ୍ରସିଦ୍ଧ ଜଳରେ ଚନ୍ଦନ, ଅଗୁର, ଅତର, ଜାଇଫଳ, କର୍ପୁର ଓ କେଶର ଆଦି ମିଶ୍ରଣ କରାଯାଇ ମହାପ୍ରଭୁଙ୍କର ସର୍ବାଙ୍ଗ ସ୍ନାନ କରାଯିବ। ତେବେ ବର୍ଷରେ ଗୋଟିଏ ଥର ମହାପ୍ରଭୁ ଏହିପରି ୧୦୮ ଗରା ଜଳରେ ସର୍ବାଙ୍ଗ ସ୍ନାନ କରିଥାନ୍ତି। ଏହାସହିତ ମହାପ୍ରଭୁ ଅଲାରନାଥଙ୍କର ଏହି ରାଜାବେଶରେ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।