ଭୁବନେଶ୍ୱର :ଦୁର୍ଗାପୂଜା ପାଇଁ ପୁରା ଭୁବନେଶ୍ୱର ନୂଆ ବୋହୁ ପରି ସଜେଇ ହୋଇଛି । ଚାରିଆଡେ ଦୁର୍ଗାପୂଜାର ଆସର । ରାଜଧାନୀବାସୀ ମନଭରି ଦୁର୍ଗାପୂଜା ଉପଭୋଗ କରୁଥିବା ବେଳେ ମଦୁଆ ମାନେ ସାଜିଛନ୍ତି ଚିନ୍ତାର ବିଷୟ। କେବଳ ପୁରୁଷ ନୁହେ ମହିଳା ମାନେ ବି ମଦ ପିଇ ବିଶୃଖଳା ପରିସ୍ଥିତି ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ପୂଜା ଭଳି ଏକ ଆଧ୍ୟାତ୍ମିକ ସମାରୋହରେ ମାତାଲ ମାନଙ୍କୁ ଜମା ବରଦାସ୍ତ କରାଯିବନି ବୋଲି କହିଛି ଅବକାରୀ ବିଭାଗ କହିଛନ୍ତି। ଏହିଘଟଣାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଲଗାଇଛି ମଦ ବିକ୍ରି ଉପରେ କଟକଣା। ବିଳମ୍ବିତ ରାତ୍ରି ଯାଏଁ ମଦ ବିକ୍ରି ହେବନି। ଏନେଇ ଅନୁମତି ପାଇଥିବା ବାର ଓ ପବଗୁଡିକୁ କଡ଼ା ସତର୍କବାଣୀ ଶୁଣାଇଛି ଅବକାରୀ ବିଭାଗ ।
ମଞ୍ଚେଶ୍ବର ଥାନା କଳାରାହାଙ୍ଗରୁ ଅଞ୍ଚଳରୁ ନିଶାସକ୍ତ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହେବା ଘଟଣା ଓ ପରେ ଅନ୍ୟ ଜଣେ ମହିଳା ଖଣ୍ଡଗିରି ଥାନାକୁ ଆସି ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଅଶୋଭନୀୟ ଆଚରଣ କରିବା ଘଟଣା ପରେ ପୋଲିସ ଓ ପ୍ରଶାସନର ଚିନ୍ତା ବଢିଛି । ଏପରି ଘଟଣା ପାର୍ବଣ ସମୟରେ ରାଜଧାନୀର ଛବି ଖରାପ କରୁଛି। ଏନେଇ ପୂଜା ସମୟରେ ଏଭଳି ଘଟଣାକୁ ଏଡାଇବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ଅବକାରୀ ଅଧିକ୍ଷକ। 13 ତାରିଖ ପର୍ଯ୍ୟନ୍ତ ରାତି 12ଟା ପରେ ମଦ ବିକ୍ରୟ ନ କରିବା ସହ 14 ତାରିଖ ଅର୍ଥାତ ଭସାଣି ଦିନ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି ।ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି,‘‘ ଅବକାରୀ ଆୟୁକ୍ତ ନରସିଂହ ଭୋଳ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବରରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ। କଣ୍ଟ୍ରୋଲ ରୁମ୍ ସହ ତିନୋଟି ଏନଫୋର୍ସମେଣ୍ଟ ସ୍କ୍ବାଡ ଗଠନ କରାଯାଇଛି । ଦୁଇଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ଥିତି ଉପରେ ୨୪ଘଣ୍ଟିଆ ନଜର ରଖିଛନ୍ତି। ଯେଉଁଠି ବି ଏସମ୍ପର୍କିତ ଗତିବିଧି ଉପରେ ଆମେ ଖବର ପାଉଛୁ, ଚଢ଼ାଉ ହେଉଛି । ଏଥିସହ ପ୍ରଥମତଃ ଯେଉଁମାନେ ବିଳମ୍ବିତ ରାତ୍ରି ପର୍ଯନ୍ତ ମଦ ବିକ୍ରି ପାଇଁ ଅନୁମତି ଥିଲା, ସେସବୁ ସ୍ଥାନରେ ରାତି ୧୨ ଯାଏଁ ବିକ୍ରି ପାଇଁ ଅନୁମତି ରହିଛି । ରାତି ୧୨ଟା ପରେ ବିକ୍ରି ନକରିବାକୁ ନିର୍ଦେଶନାମାରେ କୁହାଯାଇଛି । ସେହିପରି ୧୪ ତାରିଖ ଅର୍ଥାତ ଭସାଣି ଦିନ ମଧ୍ୟ ମଦ ବିକ୍ରି ବନ୍ଦ ରହିବ ।’’