ଭଦ୍ରକ: ଗୋରୁ ମାଫିଆ ଘରେ ପୋଲିସର ରେଡ। ମାଫିଆଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ। କେବଳ ଟଙ୍କା ନୁହେଁ ପୁଳାପୁଳା ସୁନାଗହଣା ମଧ୍ୟ ଜବତ ହୋଇଛି। ଏବେ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଆହୁରି ମଧ୍ୟ ଗଣତି ଚାଲିଛି। ଭଦ୍ରକ ପୁରୁଣା ବଜାରର ସେକ ରାଜନଙ୍କ ଏହି ଟଙ୍କା ସବୁ ଜବତ ହୋଇଛି। ପୋଲିସ ସେକ ରାଜନଙ୍କୁ ଅଟକ ରଖି ଉକ୍ତ ଟଙ୍କା ବାବଦରେ ପଚରାଉଚରା କରୁଛି।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ମୁଲ୍ଲା ସାହିରେ ଜଣେ ଗୋରୁ ମାଫିଆଙ୍କ ଘରେ ଚଢ଼ାଉ। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗଇଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଭଦ୍ରକ ପୋଲିସ ସହାୟତାରେ ଏହି ଚଢ଼ାଉ କରିଛି। ବେଆଇନ ଭାବେ ଗୋ ଚାଲାଣ କରି ଅର୍ଥ ରଖିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ମୁଲ୍ଲାସାହି ରେ ଥିବା ସେକ ରାଜନଙ୍କ ଘରେ ଚଢ଼ାଉ ଚାଲିଛି। ରେଡ ବେଳେ ପୁଳାପୁଳା ଟଙ୍କା ଏବଂ ସୁନାଗହଣା ଜବତ କରାଯାଇଛି। ତେବେ ଘଟଣାସ୍ଥଳରେ ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୫ ଡିଏସପି ୨୫ଇନସପେକ୍ଟର, ୩୬ ଏସଆଇ ଓ ଏଏସଆଇ ଏବଂ ୧୮ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ପୋଲିସର ପକ୍ଷରୁ ଏକକାଳୀନ କେନ୍ଦୁଝର, ଯାଜପୁର ଓ ମୟୁରଭଞ୍ଜରେ ବି ବଡ଼ ଧରଣର ରେଡ୍ ଚାଲିଛି। ମୋଟ ୪୬ ଟି ଗୋରୁ ମାଫିଆଙ୍କ ଠିକଣାରେ ଚଢାଉ କରାଯାଇଛି। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅନ୍ତର୍ଗତ ସାନ୍ତାରାପୁର, କାଲିଆହତା ତେଲକୋଇ, ଘସିପୁରା, ତୁରୁମୁଙ୍ଗା, ଏବଂ ଜାମୁଜୋଡିରେ ଅତର୍କିତ ଚଢାଉ କରିଛି ପୋଲିସ। ସେହିପରି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ, କରଞ୍ଜିଆ, ଝାରପୋଖରିଆ ଟେଣ୍ଟୋପୋସି, ଚଢେଇବୋଲ, କେଣ୍ଡରେଇ ଓ ଠାକୁରମୁଣ୍ଡାରେଲ ଚଢାଉ ହୋଇଛି। ସେହିପରି ଯାଜପୁର ସଦର ଥାନା ଯମଧର ଅଂଚଳରେ ଗୋ-ମାଫିଆ ସେକ୍ ସରିଫଙ୍କ ଗୋଦାମ ଓ ବାସଭବନରେ ରେଡ୍ କରୁଛି ପୋଲିସ।
ଅଧିକ ପଢନ୍ତୁ : କନ୍ଧମାଳରେ ଖସୁଛି ପାରଦ ,ହାଡ଼ ଭଙ୍ଗା ଶୀତରେ ଥରୁଛନ୍ତି କନ୍ଧମାଳବାସୀ