ଭୁବନେଶ୍ୱର: ମାର୍ଚ୍ଚ ପହଲାରୁ କଲବଲ କଲାଣି ତାତି। ଦିନର ତାପମାତ୍ରା ଏତେ ଅଧିକ ଯେ ଘରୁ ଗୋଡ କାଢିବା କଷ୍ଟକର ହୋଇପଡିଲାଣି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ସୋମବାର ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପ୍ରଚଣ୍ଡ ଅଗ୍ନିବର୍ଷାରେ ଛଟପଟ ହେଉଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା। ମଙ୍ଗଳବାର ବି ନିସ୍ତାର ନାହିଁ।
ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା। ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାପରେ ତାପମାତ୍ରା କମିବ।