ଭୁୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଦଳରେ ମିଶିଥିବାରୁ ନିଜକୁ ଧିକାର୍ ମନେ କରୁଛି। ଆଉ ସେଥିପାଇଁ ନିଜକୁ ଲଜ୍ଜିତ ଲାଗୁଛି। ନବୀନ ବାବୁଙ୍କୁ ଓଡ଼ିଶାବାସୀ ଯେତିକି ଭଲ ପାଇବା ଦେଇଛନ୍ତି ତା’ର ବଦଳରେ ସିଏ କ’ଣ ଦେଇଛନ୍ତି? ଏଭଳି ଢଙ୍ଗରେ ଆକ୍ଷେପ କରିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ।
ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ନେତା ତଥା ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ଅଦ୍ଭୂତ ପ୍ରେମକାହାଣୀର ନାୟକ। ଯାହାଙ୍କୁ ଓଡ଼ିଶାବାସୀ ଏତେ ଭଲପାଇବା ଦେଇ ଧନସମ୍ପତ୍ତି, ସମ୍ମାନ ସବୁ ଦେଲେ। କିନ୍ତୁ ତା’ର ରିଟର୍ଣ୍ଣ ଗିଫ୍ଟରେ ସେ କ’ଣ ଦେଲେ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଶାସନରେ ଥାଇ ବି ଓଡ଼ିଶାର ଭାଷାଟି ଶିଖିପାରିଲେ ନାହିଁ। ୧୯୯୮ ମସିହା ପୂର୍ବରୁ ନବୀନ ବାବୁ କ’ଣ ଥିଲେ ଓ ତାଙ୍କୁ ଓଡ଼ିଶାବାସୀ ଏତେଦିନ ଧରି ଭଲପାଇବା ଦେଇ କେଉଁ ଆସନରେ ବସାଇଥିଲେ ତାହା ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରତିବଦଳରେ ନବୀନବାବୁ ଓଡ଼ିଆ ଭାଷାଟି ଶିଖିପାରିଲେ ନାହିଁ। ଏଥିରୁ ସେ ଓଡ଼ିଶାକୁ କେତେ ଭଲପାଉଥିଲେ ପ୍ରଶ୍ନ ଉଠିବା ସ୍ୱାଭାବିକ।
ସୌମ୍ୟ କହିଛନ୍ତି ଜଣେ ତେଲେଙ୍ଗା ଯୁବକ ଓଡ଼ିଆ ଝିଅକୁ ପ୍ରେମ କରି ବାହା ହେଲେ ପରସ୍ପରର ଭାଷା ଶିଖୁଛନ୍ତି। ଅଲଗା ଖାଦ୍ୟକୁ ଆପଣାଇ ନେଉଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଏତେଦିନ ଧରି ଓଡ଼ିଶାର ଶାସନରେ ରହିଥିଲେ ମଧ୍ୟ ଓଡ଼ିଆ ଭାଷା ଶିଖିପାରିଲେ ନାହିଁ। ନବୀନ ବାବୁଙ୍କ ଦଳରେ ମିଶିଥିବାରୁ ଏବେ ନିଜକୁ ଲଜ୍ଜିତ ଅନୁଭବ କରୁଛି। ନିଜକୁ ଧିକାର ବି କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଅବସରରେ ଶ୍ରୀ ପଟ୍ଟନାୟକ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଅବସରପ୍ରାପ୍ତ ପ୍ରଶାସକ ଅମୀୟ ଭୂଷଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ନିଜର ଦୈନିକ ଖବରକାଗଜ ସମ୍ବାଦରେ ଆମ ଘରର ହାଲଚାଲ ସ୍ତମ୍ଭ ଜରିଆରେ ସୌମ୍ୟ ଅନେକ ଥର ବିଜେଡି ସରକାର ଓ ନବୀନ ପଟ୍ଟନାୟକ ଶାଣିତ ଶବ୍ଦରେ ସମାଲୋଚନା କରି ସାରିଛନ୍ତି । ପରବର୍ତ୍ତୀ ସମୟରେ ଦଳ ବିରୋଧୀ କାମ ଅଭିଯୋଗରେ ବିଜେଡି ତାଙ୍କୁ ନିର୍ବାଚନ ପୂର୍ବରୁ ଦଳରୁ ବିଦା କରିଥିଲା । ଏହା ପରେ ସୌମ୍ୟ ଘସିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ହେଁ ପରାଜିତ ହୋଇଥିଲେ ।