ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମଋତୁ । ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ଯୋଗୁଁ ଶରୀରରେ ପ୍ରଭାବ ପଡିବ ସହିତ ଆଖି ମଧ୍ୟ ପ୍ରଭାବିତ ହୋଇଥାଏ । ସୂର୍ଯ୍ୟଙ୍କର ତୀକ୍ଷ୍ଣ କିରଣ ଓ ଅତିବାଇଗଣୀ ରଶ୍ମି ଆଖି ଉପରେ କୁପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଅତ୍ୟଧିକ ତାପମାତ୍ରା ଓ କିରଣ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହା ଦ୍ୱାରା ଆଖିରେ ଜଳାପୋଡ଼ା, କୁଣ୍ଡେଇ ହେବା, ଆଖି ଶୁଖିଯିବା ଓ ନାଲି ପଡିବ ଆଦି ଲକ୍ଷଣ ଦେଖା ଦେଇଥାଏ । ତେବେ ଏଥିରୁ କିପରି ରକ୍ଷା ପାଇବା ଚାଲନ୍ତୁ ଜାଣିବା -
ହିଟୱେଭର ପ୍ରଭାବ :
ଗ୍ରୀଷ୍ମଋତୁରେ ହିଟୱେଭ ସମୟରେ ପରିବେଶର ତାପମାତ୍ରା ସାମାନ୍ୟ ତାପମାତ୍ରା ଠାରୁ ବହୁ ଗୁଣରେ ବୃଦ୍ଧି ପାଇଥାଏ । କଡ଼ା ସୂର୍ଯ୍ୟ କିରଣ ଓ ତାପମାତ୍ରା ଯୋଗୁଁ ଆଖିର ଜଳୀୟ ଅଂଶ ଶୁଖିବାକୁ ଲାଗେ । ଆଖିରେ ଜଳୀୟ ଅଂଶ କମିବା ଦ୍ୱାରା ଆଖି କୁଣ୍ଡେଇହେବା, ଜାଳିବା ଓ ପୋଡିବା ତଥା କେଁଚି ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ । ଏହା ଛଡା ତୀବ୍ର ଗ୍ରୀଷ୍ମରେ ସୂର୍ଯ୍ୟଙ୍କ କିରଣରେ ଅତିବାଇଗଣୀ ରଶ୍ମି ମଧ୍ୟ ରହିଥାଏ । ଯାହା ଦ୍ୱାରା ଆଖି ଉପରେ ବିଶେଷ କୁପ୍ରଭାବ ପଡିଥାଏ । ଅଧିକ ସମୟ ବାହାରେ ରହିବ ଦ୍ୱାରା ଆଖିର କର୍ଣ୍ଣିଆ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଆଖିରେ ତୀବ୍ର ଯନ୍ତ୍ରଣା ହେବା ସହିତ ବହୁ କଷ୍ଟ ଅନୁଭୂତ ହୁଏ ।
କେଉଁ ମାନଙ୍କୁ ରହିଛି ବିପଦ :
ଶିଶୁ, ବୟସ୍କ ବ୍ୟକ୍ତି ଏବଂ ପୂର୍ବରୁ ଆଖି ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତିବିଶେଷଙ୍କୁ ବିପଦ ରହିଥାଏ । ଏହା ସହ ଯେଉଁମାନେ ବାହାରେ ରହି କାମ କରୁଥାନ୍ତି ସେମାନେ ବି ଏହା ଦ୍ୱାରା ବହୁଳ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି ।
ହିଟୱେଭରୁ ସୁରକ୍ଷାର ଉପାୟ :
- ଭଲ ମାନର ସନଗ୍ଳାସ ବ୍ୟବହାର କରନ୍ତୁ । ଅତିବାଇଗଣୀ ରଶ୍ମିରୁ ସୁରକ୍ଷା ଦେଉଥିବା ଗ୍ଲାସ ବ୍ୟବହାର କରନ୍ତୁ । ଏହା ଦ୍ୱାରା ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ଆଖିକୁ ସୁରକ୍ଷା ମିଳିଥାଏ ।
- କଡ଼ା ଖରା ବେଳେ ଘରୁ ବାହାରିବାକୁ ଏଡାନ୍ତୁ । ମଧ୍ୟାହ୍ନ ସମୟରେ ସୂର୍ଯ୍ୟଙ୍କ ରଶ୍ମି ସର୍ବାଧିକ ହୋଇଥାଏ । ଏହି ସମୟରେ ଘରୁ ବାହାରନ୍ତୁ ନାହିଁ ।
- ଆଖିରେ ଜଳୀୟ ଅଂଶ ନ କମିବା ପାଇଁ ଦିନକୁ ଦୁଇ ରୁ ତିନି ଥର ଥଣ୍ଡା ପାଣିରେ ଅଖ ଧୁଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ତାଜା ଅନୁଭବ ହେବ ।
- ଶରୀରକୁ ହାଇଡ୍ରେଟ ରଖନ୍ତୁ । ଶରୀରରେ ଜଳୀୟ ଅଂଶ କମିଲେ, ଆଖିରେ ମଧ୍ୟ ଏହାର ପ୍ରଭାବ ପଡ଼େ । ତେଣୁ ଦିନରେ ୫ ଲିଟର ପର୍ଯ୍ୟନ୍ତ ମଧ୍ୟ ଜଳପାନ କରିପାରିବେ ।
- ଆଖିରେ ଆଇ ଡ୍ରପ୍ସ ବ୍ୟବହାର କରନ୍ତୁ । ଆଖିରେ ଯଦି କିଛି ସମସ୍ୟା ଦେଖା ଯାଏ, ତେବେ ସଂଗେ ସଂଗେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ଏହି ଗ୍ରୀଷ୍ମଋତୁରେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ଓ ଆଖିର ଯତ୍ନ ନିଅନ୍ତୁ । ହିଟୱେଭ ଆଖି ପାଇଁ ଖୁବ କ୍ଷତିକାରକ ଓ ଯନ୍ତ୍ରଣା ଦାୟକ ଅଟେ । ସାମାନ୍ୟ ସାବଧାନତା ଆପଣଙ୍କୁ ବଡ଼ ବିପଦରୁ ବଞ୍ଚାଇପାରେ । ସତର୍କ ରହିବ ସହିତ ନିଜର ଯତ୍ନ ନିୟନ୍ତୁ ।