ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ନେଇ ୧୨ ଜିଲ୍ଲାକୁ ସର୍ତକ ରହିବାକୁ ପରାମର୍ଶ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରି ସର୍ତକ କରାଇଛି । ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ ଖୋର୍ଦ୍ଧା । ଏହି ସମସ୍ତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି ସହ ଝଟକା ପବନ (୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପ ସୃଷ୍ଟି ହେଲେ ବଡ଼ ବର୍ଷା ହୋଇପାରେ ।
ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହା ସହିତ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି ହୋଇଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୧୨ ଓ ୧୩ ଅଗଷ୍ଟ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।