ଭୁବନେଶ୍ୱର: ରାଜ୍ୟରେ ଏବେ ହଇଜା ମାଡ଼ିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲାକୁ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢାଇଛି । ଏହାକୁ ନେଇ ଆଜି(ବୁଧବାର) ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କେନ୍ଦ୍ରୀୟ ଟିମ୍ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରୁଛନ୍ତି ।
ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଡାଇରିଆ ବ୍ୟାପୁଥିବା ଅଞ୍ଚଳକୁ ଯାଇ ସ୍ଥିିତି ପରଖିଛନ୍ତି କେନ୍ଦ୍ରୀୟ ଟିମ୍ । ଗ୍ରାଉଣ୍ଡ ସ୍ତରୀୟ ରିପୋର୍ଟକୁ ନେଇ ଆଜିର ବୈଠକରେ ସରକାର ଓ ସ୍ୱାସ୍ଥ୍ୟବିଭାଗ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ । ତେବେ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା କହିଛି କେନ୍ଦ୍ରୀୟ ଟିମ୍ ।
ଯେତିକି ନମୁନା ପରୀକ୍ଷା ହୋଇଥିଲା ତା ମଧ୍ୟରୁ ୧୦ ପ୍ରତିଶତରେ କଲେରା ଜୀବାଣୁ ଚିହ୍ନଟ ହୋଇଛି। ହସପିଟାଲ୍ ଆସୁଥିବା ନୂଆ ରୋଗୀଙ୍କ ପାଖରେ ବି ଲକ୍ଷଣ ସମାନ ରହୁଛି। ଗତକାଲି ମୁଖ୍ୟ ଶାସନ ସଚିବ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଥିଲେ । ଗ୍ରାଉଣ୍ଡ ଭିଜିଟ୍ କରିଥିବା କେନ୍ଦ୍ରୀୟ ଟିମ୍ ସହ ଆଜି ବୈଠକରେ ସ୍ଥିତି ବାବବଦରେ ଆଲୋଚନା କରୁଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ଗାଁ ଗାଁରେ ବିଶୋଧନ ପ୍ରକିୟା ଜାରି ରହିବା ସହ ମାଇକ୍ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।