ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟି ଲିମିଟେଡରେ ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜାଙ୍କୁ ପଚରା ଉଚୁରା କରିବ ଇଓଡବ୍ଲ୍ୟୁ ।
ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ । କୋର୍ଟରେ ହାଜର କରିବା ପରେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା, ଯାହାର ଅବଧି ଆସନ୍ତାକାଲି ସରିବ । ଏହା ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ନିରାଶ ହୋଇଥିଲେ ରାଜା ଚକ୍ର । ତାଙ୍କୁ ଜାମିନ ଆବେଦନକୁ ଖାରଜ କରିଥିଲେ ହୋଇକୋର୍ଟ । ବେଶ କିଛି ବର୍ଷ ଧରି ବିଜେଡି ଛତ୍ର ଛାୟାରେ କଳାସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର ।
୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ପର୍ୟ୍ୟନ୍ତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିଃ ୧୮୫ କୋଟି ଟଙ୍କା ଲାଭ କରିଥିବା ଖାତାରେ ଦର୍ଶାଇଥିଲେ ମଧ୍ୟ ୨୦୧୨-୧୩ରୁ ୨୦୨୪ ପର୍ୟ୍ୟନ୍ତ ସୋସାଇଟିର କୌଣସି ଅଡିଟ୍ କରାଯାଇନାହିଁ। ସେହିପରି ୪ ବର୍ଷ ଭିତରେ ବିଭିନ୍ନ ଗାଁ ଲୋକଙ୍କ ମୁହଁକୁ ଚୁପ୍ କରି ସମର୍ଥନ ପାଇବା ପାଇଁ ସଂସ୍ଥା ପକ୍ଷରୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଶ୍ରମିକଙ୍କୁ ଦେୟ ଓ ଲୋଡିଂ ଖର୍ଚ୍ଚ ପାଇଁ ୭୪ କୋଟି ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ରାଜା ଚକ୍ରଙ୍କର ୪୨ଟି ଗାଡି, ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ ହେବା ସହ ଏକାଧିକ ଆକାଉଣ୍ଟକୁ ମଧ୍ୟ ଅଚଳ କରି ଦିଆଯାଇଛି । କ୍ରାଇମବ୍ରାଞ୍ଚ ହାତରେ ଅଦ୍ୟାବଧି ୪୫ କୋଟି ଟଙ୍କା ଠକେଇର ପ୍ରମାଣ ମିଳି ସାରିଛି । ଆହୁରି ୭୪ କୋଟି ଠକେଇର ଯାଞ୍ଚ ଚାଲିଛି । ୨୦୧୨-୧୩ ପରଠାରୁ ଏଜେନ୍ସିର ଅଡିଟ୍ ହୋଇ ନାହିଁ ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ, ରାଜା ଚକ୍ର ବିଜେଡ଼ି ଦଳର ପତିଆରାରେ ନିଜର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ।