ଧୀରେ ଧୀରେ ବାହାନଗାରେ ସ୍ବାଭାବିକ ହେଉଛି ଟ୍ରେନ୍ ଚଳାଚଳ । ମାଲବାହୀ ପରେ ଗଡିଲା ତିନୋଟି ଯାତ୍ରୀବାହୀ ଟ୍ରେନ୍ । ଦୁର୍ଘଟଣାର ୫୧ ଘଣ୍ଟା ପରେ ଉଭୟ ଅପ-ଲାଇନ ଓ ଡାଉନ-ଲାଇନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଥିଲା । ଏହାପରେ ଗତକାଲି ରାତିରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ଟ୍ରାକ ଉପରେ ମାଲଗାଡ଼ି ଗଡ଼ିଥିଲା । ରେଳ ଷ୍ଟେସନରୁ ସାଲିମାର, ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ ହାୱଡା ମହୀଶୂର ଟ୍ରେନ୍ ଗ଼ଡିଥିଲା । ଟ୍ରେନକୁ ହାତ ହଲାଇ ସ୍ୱାଗତ କରିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଶୁକ୍ରବାର ସଂଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ଏହି ରୁଟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଭାବବିହ୍ବଳ ହୋଇପଡିଥିଲେ ରେଳ ମନ୍ତ୍ରୀ । ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି । ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍ । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ପ୍ରଥମ ଟ୍ରେନ ଚାଲିଲା ବେଳେ ଭାବବିହ୍ୱଳ ହୋଇପଡିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଟ୍ରେନ ଗଡ଼ିବା ଆରମ୍ଭ ବେଳେ ରେଳ ମନ୍ତ୍ରୀ ହାତଯୋଡି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଖୁବଶୀଘ୍ର ଏହି ରୁଟରେ ଟ୍ରେନ ଚଳାଚଳ ସ୍ବଭାବିକ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।