ପୁରୀ : ମାଡି ଆସୁଛି କି ବିପତ୍ତି। କାରଣ ସବୁଦିନ ଫର ଫର ଉଡୁଥିବା ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି। ଫଳରେ ପତିତପାବନ ବାନା ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନାହିଁ। ଏଥିପାଇଁ ବାନା ବାନ୍ଧି ପାରିନାହାନ୍ତି ଚୁନରା ସେବକ। ତେବେ ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ପ୍ରଶାସନ ତଥା ସେବକମାନେ ଚିନ୍ତାରେ ପଡିଯାଇଛନ୍ତି। କାରଣ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ବାନା ଅପରାହ୍ଣରେ ପରିବର୍ତ୍ତନ ହୁଏ। କିନ୍ତୁ ଶୁକ୍ରବାର ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଗଲାବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଦଧିନଉତିକୁ ଚଢ଼ିଥିବା ଚୁନରା ସେବାୟତ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି ନୀଳଚକ୍ରରେ ସବୁ ବାନା ବାନ୍ଧିଥିଲେ।