ଚୌତ୍ର ମାସରେ ରାୟଗଡାର ପ୍ରତିଷ୍ଠିତ ଦେବୀ ମାଆ ମଝିଘରିଆଣୀଙ୍କ ଚଇତି ପର୍ବ ଅନୁଷ୍ଠିତ ହୋଇଥିଲା। ଝଞ୍ଜାବତି ଉପକଣ୍ଠରେ ଥିବା ମଝିଘରିଆଣୀଙ୍କ ପୀଠ ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇଉଠିଛି। ଦେବୀ ପୀଠରୁ ମହମହ ହୋଇ ବାସୁଛି ଝୁଣା ଧୂପର ସୂଗନ୍ଧ। ମହୁରି, ନିଶାଣ ସାଙ୍ଗକୁ ଟାମକ ଆଦି ପାରମ୍ପରିକ ବାଦ୍ୟ ଶବ୍ଦରେ ଦୁଲୁକି ଉଠୁଛି ମା'ମଝିଘରିଆଣୀଙ୍କ ପୀଠ। ମା'ଙ୍କର ଟିକିଏ ସାନିଧ୍ୟ ଓ ଦର୍ଶନ ପାଇବା ପାଇଁ ବହୁ ଦୂରଦୂରାନ୍ତରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମାନସିକଧାରୀମାନେ ଧାଇଁ ଆସୁଛନ୍ତି।
ପୀଠରେ ମା' ମଝିଘରିଆଣୀ ସିନ୍ଦୁର ପ୍ରଲେପିତ ହୋଇ ସୁନା ବେଶରେ ନିଜ ଆସ୍ତାନରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏହି ଚଇତି ପର୍ବର ପଞ୍ଚମ ତଥା ଶେଷ ଦିନରେ ମାଆଙ୍କ ପୀଠରେ ମୁଖ୍ୟ ପୂଜକଙ୍କ ଝାମୁ ଯାତ୍ରାରେ ନିଆଁ ମଡା ଓ କଣ୍ଟା ଦୋଳିରେ ଝୁଲିବା ସବୁଠାରୁ ଆକର୍ଷଣୀୟ ଲାଗୁଛି। ଆଜି ପୂର୍ବାହ୍ନ ସମୟରେ ମା'ଙ୍କର ବିସର୍ଜନ ପୂଜା ମା'ଙ୍କର ପାଦ ପୂଜା ପାଉଥିବା ଆସ୍ଥାନକୁ ଯାଇ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ମାନସିକଧାରୀ ମାନେ ନିଜର ମାନସିକ ନେଇ ମା' ମଝିଘରିଆଣୀଙ୍କ ନିକଟରେ ଅଧିଆ ପଡିଥିଲେ। ଏପରିକି ମା'ଙ୍କ ପୂଜା ସମସ୍ତ ନିତିକାନ୍ତି ସଠିକ ଭାବେ ସମ୍ପାଦନ ହେବା ସହ ସମସ୍ତ ରୀତିନୀତିରେ ମା'ଙ୍କ ବିସର୍ଜନ କାର୍ଯ୍ୟ ସମାପ୍ତ ହୋଇଥିଲେ ।