ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତର ପରିମାଣ। ଯାହାଫଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଲା ପାରଦ। ବିଭିନ୍ନ ସ୍ଥାନରେ ତୁଷାରପାତ ସହ ଘନ କହୁଡି ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।
ତେବେ ଶୀତର ସବୁଠାରୁ ଅଧିକ ସେମିଳଗୁଡ଼ାରେ ଅନୁଭୂତ ହେଉଛି। ସେମିଳଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ। ଜି. ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ୧୬ଟି ସହରରେ ପାରଦ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରେକର୍ଡ କରାଯାଇଛି। ସେହିପରି, ଡିସେମ୍ବର ୧୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ତିନୋଟି ଜିଲ୍ଲାରେ ଶୀତଳ ଲହରୀ ଅନୁଭୂତ ହେବ। ସୁନ୍ଦରଗଡ଼, କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। ଦିନ ୧୦ ଟା ନହେଲେ କାମଧନ୍ଦାକୁ ଯିବା ଶ୍ରମିକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ତେବେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି ଆହୁରି ଅଧିକ ବଢିବ। ଏପରିକି ୨୦ ତାରିଖ ଯାଏ ଶୀତ ଜାରି ରହିବ। ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ରାତି ତାପମାତ୍ରା କିଛି ସ୍ଥାନରେ ବଢ଼ିବା ସହିତ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।
ଅଧିକ ପଢନ୍ତୁ : ଖସୁଛି ପାରଦ; ସକାଳ ୫ଟା ୩୦ରେ ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ