ମାଲକାନଗିରି : ଶାନ୍ତ ପଡିଲା ମାଲକାନାଗିରି। ଧୀରେ ଧୀରେ ଫେରୁଛି ମାଲକାନାଗିରିରେ ଶାନ୍ତି। ଆଜି ଦିନ ୧୨ଟା ଯାଏ ଜାରି ରହିବ ଇଣ୍ଟରନେଟ କଟକଣା। ପୂର୍ବ ଭଳି ପୁଣି ମାଲକାନାଗିରିରେ ଭାଇଚାରା ବଜାୟ ରହିବା ସହିତ ଇଣ୍ଟରନେଟ ସେବା ପୂର୍ବ ପରି ଜାରି ରହିବ।
ମଙ୍ଗଳବାର ମାଲକାନାଗିରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦେଶ କ୍ରମେ ରାଖାଲଗୁଡ଼ା ଓ ଏମ.ଭି/୨୬ ଗାଁ ମୁଖିଆଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସହମତି ହୋଇଛି। ଖୁବଶୀଘ୍ର ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି।
ତେବେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ରାଖାଲଗୁଡ଼ା ଓ ଏମ.ଭି/୨୬ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଯାହାଫଳରେ ପ୍ରାୟ ୧୬୩ ଘର ଜଳିଯାଇଛି। ଏପରିକି ମାଲକାନଗିରି ଜିଲ୍ଲାରେ କିଛିଦିନ ପର୍ଯ୍ୟନ୍ତ ଇଣ୍ଟରନେଟ କଟକଣା ଜାରି ହୋଇଥିଲା। ତେବେ ଗତକାଲି ଦୁଇ ଗାଁ ମଧ୍ୟରେ ଆପୋଷ ସମାଧାନ ପରେ ଆଜି ଦିନ ୧୨ଟା ଯାଏ ଇଣ୍ଟରନେଟ କଟକଣା ଜାରି ରହିବ। ଏହାପରେ ପୂର୍ବ ପରି ଇଣ୍ଟରନେଟ ସେବା ଜାରି ରହିବ ବୋଲି ଜିଲ୍ଳାପାଳ କହିଛନ୍ତି।
ଅଧିକ ପଢନ୍ତୁ : ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଦାପୁଟ ଏଡିଇଓ