କର୍କଟ ରୋଗରେ ସିଆରପିଏଫ ଯବାନଙ୍କ ମୃତ୍ୟୁ
Khabar Odisha:CRPF-jawan-dies-in-cancer
ଯାଜପୁର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଜଣେ କାର୍ଯ୍ୟରତ ବୀର ଯବାନଙ୍କୁ ହରାଇଛି ବଡ଼ଚଣା ମାଟି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚାରିନଙ୍ଗଳ ଗ୍ରାମପଞ୍ଚାୟତ ଚାରିନଙ୍ଗଳ ଗ୍ରାମର ସୁଶାନ୍ତ କୁମାର ବଳ ସିଆରପିଏଫ ଯବାନ ଭାବେ ବଲାଙ୍ଗିରର ଖପରାଖଣ୍ଡି ଠାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳରେ ନିୟୋଜିତ ଥିଲେ । କିଛିଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସୁଶାନ୍ତଙ୍କୁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ସୁଶାନ୍ତଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ସୁଶାନ୍ତଙ୍କ ମୃତ ଶରୀର ଆଜି ଗ୍ରାମରେ ପହଁଞ୍ଚିବା ପରେ ଗ୍ରାମର ଜନସାଧାରଣ ଓ ପରିବାର ଲୋକେ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ଏକ ବିରାଟ ଶୋଭାଯାତ୍ରା କରି ବାଲିଚନ୍ଦ୍ରପୁର ବାଇପାସ୍ ଛକ ଠାରୁ ଚାରିନଙ୍ଗଳ ସ୍ଥିତ ବାସଭବନ ଯାଏ ଅଣାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୁରା ବଡ଼ଚଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁଶାନ୍ତଙ୍କ ପରିବାର ଏକ ରୋଜଗାରିଆ ପୁଅକୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଭଳି ବୀର ଯବାନଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳ ପାଇଁ ଦୁଃଖର ବିଷୟ ପାଲଟିଛି ।

  • Tags:

Subscribe

National International State Sports Entertainment