କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ ନିଆଯାଇଛି। ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୋଲିସ । ଯାହାଙ୍କ ବିରୁଦ୍ଧରେ ପ୍ରଥମ ଦିନରୁ ଅଭିଯୋଗ କରିଥିଲେ ମୃତ ଛାତ୍ରୀଙ୍କ ବାପା । ୫ ଦିନ ଯାଏଁ ପୋଲିସ ଏହି ଘଟଣା ଉପରେ ବିଶେଷ ନଜର ରଖିଥିଲା, ଏବଂ ବୟଫ୍ରେଣ୍ଡକୁ ଆଣି ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯାଉଥିଲା । ଘଟଣାର ୫ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଥିବା ଏସି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି ।
ଗତକାଲି ମୃତ ଛାତ୍ରୀଙ୍କ ବାପା ଥାନାରେ FIR କରିଥିଲେ । ପୁରୁଷ ବନ୍ଧୁଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା । ସେପଟେ ପୋଲିସ ମୃତ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା ନେଇ ଏସପି ସୂଚନା ଦେଇଛନ୍ତି । ଏସପିଙ୍କ କହିବାନୁଯାୟୀ, ‘ଘଟଣାର କିଛି ସମୟ ପୂର୍ବରୁ ପ୍ରମୋଦ ଯୁବତୀଙ୍କ ସହ କଥା ହୋଇଥିଲେ । ଜୁଲାଇ ୧୭ରେ ଅଶ୍ଲୀଳ ଭିଡ଼ିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ଏପରିକି ଅନ୍ୟ ୨ ଜଣଙ୍କ ମୋବାଇଲକୁ ବି ଭାଇରାଲ ଉଦ୍ଦେଶ୍ୟରେ ପଠାଇଥିଲେ’ । ଏଥିସହ କାଠିଆପଡ଼ାରେ ଲାଗିଥିବା ସିସିଟିଭରୁ ବି ଆଉ କିଛି ତଥ୍ୟ ହସ୍ତଗତ ହୋଇଛି । ସେଦିନ ଦିନ ୧୧ଟା ୪୦ ବେଳେ ଗାଁ ଲୋକଙ୍କ ଧାଁ ଦୌଡ ସାମ୍ନାକୁ ଆସିଛି ।
ସେପଟେ ପାଲଟା ଅଭିଯୋଗ ଆଣିଛନ୍ତି ପୁରୁଷ ବନ୍ଧୁ ପ୍ରମୋଦଙ୍କ ମାଆ ଓ ଭଉଣୀ । ଛାତ୍ରୀଙ୍କ ମୃତ୍ୟୁରେ ତାଙ୍କ ପରିବାରର ହାତ ଥିବା ଅଭିଯୋଗ କରିଛନ୍ତି। କାନ୍ଦି କାନ୍ଦି କହିଛନ୍ତି ମୋ ଭାଇର କିଛି ଦୋଷ ନାହିଁ, ତାକୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଭଉଣୀ । ବିନା ଦୋଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପରିବାର ଲୋକେ ସମୂହ ଜୀବନ ହାରି ଦେବେ ବୋଲି କହିଛନ୍ତି । ପ୍ରତିବାଦରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକଙ୍କ ଧାରଣା ଦେଇଛନ୍ତି । ପୁରୁଷ ବନ୍ଧୁଙ୍କ ପରିବାର ଲୋକଙ୍କ ସହ ଶତାଧିକ ଲୋକ ଧାରଣା ଦେଇଛନ୍ତି । ଏହାରି ଭିତରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବାପା ଆତ୍ମହୃତି ଧମକ ଦେଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀ ଗାଡ଼ି ମହଜୁଦ ରହିଛି । କୌଣସି ଅଘଟଣ ଏଡାଇବା ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ସଜାଗ ରହିଛି ।