କଟକ: ଭରତପୁର ଥାନା ମାମଲାର ନିରପେକ୍ଷ ତଦନ୍ତ କରାଯିବ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ। କ୍ରାଇମବ୍ରାଞ୍ଚର ନୂଆ ଏଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଏହା କହିଛନ୍ତି ବିନୟତୋଷ ମିଶ୍ର। ସେ କହିଛନ୍ତି, ସରକାର କ୍ରାଇମବ୍ରାଞ୍ଚ ଉପରେ ଭରସା କରିଛନ୍ତି ଓ କ୍ରାଇମବ୍ରାଞ୍ଚ ମଧ୍ୟ ଆଇନ ଅନୁସାରେ ଏହି ମାମଲାର ସର୍ବଶ୍ରେଷ୍ଠ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମଙ୍ଗଳବାର ଅପରାହ୍ନରେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ୧୯୯୩ ମସିହା ବ୍ୟାଚ IPS ବିନୟତୋଷ ମିଶ୍ର । ଏହି ଅବସରରେ ସେ ସମସ୍ତ ମାମଲାର ନିରପେକ୍ଷ ତଦନ୍ତ କରି ଜନ ସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ବିଭାଗ ତତ୍ପର ରହିବ । ସାଇବର ଅପରାଧର ମୁକାବିଲା ଏକ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ବିଭାଗ ତତ୍ପର ରହିବ ଏବଂ ସାଇବର ଅପରାଧ ସମ୍ପର୍କୀତ ମାମଲାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଏଡିଜି କହିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ଏସପିଠୁ ନେଇ ଡିଆଇଜି ସହ ସବୁ ରାଙ୍କରେ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଏଡିଜି ଥିବା ଅରୁଣ ବୋଥ୍ରାଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଆଉ ପଦ ସମ୍ଭାଳିବା ପରେ ବହୁ ଚର୍ଚ୍ଚିତ ଭରତପୁର କେସର ନିରପେକ୍ଷ ତଦନ୍ତ ହୋଇ ନ୍ୟାୟ ଦିଆଯିବ ବୋଲି ସେ କହିଛନ୍ତି।