ଜଗତସିଂହପୁର ଜିଲ୍ଲାରେ ପୁଣି ବାଂଲାଦେଶୀ ତନାଘନା ଆରମ୍ଭ। ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଯାଞ୍ଚ କରୁଛି ପୋଲିସ ।
ଜଗତସିଂହପୁର ଜିଲା ତରିକୁନ୍ଦ ଦରିଆପୁର ବସ୍ତିରେ ସଦର ପୋଲିସର ଚଢ଼ାଉ କରି ୨୦ରୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଠାବ କରାଯିବା ସହ ଅଟକ ରଖାଯାଇଛି । ମଙ୍ଗଳବାର ରାତିରେ ଆଡିସନାଲ ଏସପି ଓ ଏସଡିପିଓଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ କରାଯାଇଥିଲା । ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ବସ୍ତିରେ ଥିବା ଏକ ମଦ୍ରାସାରେ କିଛି ବାଂଲାଦେଶୀ ରହିଥିବାର ଖବର ପାଇବା ପରେ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା । ଅଟକ ବାଂଲାଦେଶୀଙ୍କ ମଧ୍ୟରୁ କିଛି ଜଣ ନାବାଳକ ରହିଛନ୍ତି । ଏମାନଙ୍କୁ କିଛି ଦିନ ହେବ ଏକ ମଦ୍ରାସାରେ ଆଣି ରଖାଯାଇଥିଲା । ବସ୍ତିରୁ ଉଧାର ସମସ୍ତ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କୁ ବାଗଲପୁର ସେଲଟର ହୋମକୁ ନିଆଯାଇଛି । ପୋଲିସ ଚଢ଼ାଉ ବେଳେ ୧୦ ଜଣରୁ ଉର୍ଦ୍ଧ ସନ୍ଦିଗ୍ଧ ଖସି ଯାଇଥିବାର ଜଣାଯାଇଛି । ପୋଲିସ ଖସି ଯାଇଥିବା ବାଂଲାଦେଶୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି କରିଛି।
ସେପଟେ ଭଦ୍ରକରେ ବି ଜୋରଦାର ଚଢଉ କରାଯାଇଛି। ବାଂଲାଦେଶୀ ସନ୍ଦେହରେ ୮ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ବାସୁଦେବପୁର ଥାନା ପୋଲିସ। ଥାନାରେ ଭଦ୍ରକ ଏସପି ମନୋଜ ରାଉତ ପହଞ୍ଚି ବିଭିନ୍ନ ପ୍ରକାର ଯାଞ୍ଚ କରିଛନ୍ତି। ଆଧାର କାର୍ଡ, ଭୋଟର ପରିଚୟ ପତ୍ର, କେଉଁ ଅଞ୍ଚଳରେ ରହୁଛନ୍ତି, କେଉଁଠୁ ଆସିଛନ୍ତି, ଏଠାରେ କି ପ୍ରକାର ବ୍ୟବସାୟ କରୁଛନ୍ତି ଏମିତି କିଛି ପ୍ରଶ୍ନ ଅନେକ ଜଣଙ୍କୁ ଭଦ୍ରକ ଏସପି ପଚାରିଛନ୍ତି।