ବାଲିଯାତ୍ରାର ଇତିହାସ ଓ ପରମ୍ପରା ଅତି ପ୍ରାଚୀନ ଓ ଗୌରବମୟ। ବାଲିଯାତ୍ରା ସଂସ୍କୃତି ଓ ପ୍ରଗତିର ମିଳନସ୍ଥଳ। ଏହା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ। ଗତକାଲିଠାରୁ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳା ନେଇ ଚଳଞ୍ଚଚଳ ହୋଇଉଠିଛି କଟକ ବାଲିଯାତ୍ରା ପଡ଼ିଆ । ନୌବାଣିଜ୍ୟ ପରମ୍ପରାର ସ୍ମୃତି ବଖାଣୁଥିବା ଏହି ଐତିହାସିକ ଯାତ୍ରା ଆଜି ସନ୍ଧ୍ୟାରେ ଉଦ୍ଦଘାଟିତ ହୋଇଛି । ଏଥର ବାଲୁକା କଳା, ଲାଇଟ୍ ଓ ସ୍ୟାଣ୍ଡର ଯୁଗଳବନ୍ଦୀ, ଭଳିକି ଭଳି ଷ୍ଟଲ, ଓଲିଉଡ୍ ଏବଂ ବଲିଉଡ୍ କଣ୍ଠଶିଳ୍ପୀଙ୍କୁ ନେଇ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।
34 ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ 1200ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍ ପରିସରରେ 420ରୁ ଅଧିକ ଷ୍ଟଲ୍ ପଡ଼ିଛି। ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ। ଏଥିରେ ଗ୍ରାମୀଣ ଜୀବନ, ଜୀବିକା ଓ ପରମ୍ପରାକୁ ଖୁବ୍ ଆକର୍ଷଣୀୟ ଭାବରେ ପ୍ରଦର୍ଶନ କରାଯାଇଛି। ସେହିପରି ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟରେ ପ୍ରଥମ ଥର ପାଇଁ ହେଉଥିବା ‘ଫିସ୍ ଆକ୍ବାରିୟମ୍ ଟନେଲ୍’ ।