ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ । ସମ୍ବଲପୁର ଠାରେ ବିଜେପିର ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଏହି ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରିଥିଲେ ।ବିଜେପି ପକ୍ଷରୁ ରବିବାର ଅଇଁଠାପାଲିର ବିର୍ସା ମୁଣ୍ଡା ମୈଦାନ ଠାରେ ଏକ ବିଶାଳ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ନେତୃତ୍ୱରେ ଶତାଧିକ ଲୋକମାନେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ସଦସ୍ୟାଙ୍କୁ ଦଳରେ ସ୍ୱାଗତ କରିଥିଲେ ।
ଏହି ସଭାସ୍ଥଳରେ ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଦେଇଥିବା ନିଜର ଉଦବୋଧନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିନାହାନ୍ତି । ଏହା ବିରୋଧରେ ରାଜ୍ୟବ୍ୟାପୀ ଜନଆକ୍ରୋଶ ଦେଖାଯାଉଥିବା ବେଳେ ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି । ଏଥିସହ ସେ କହିଥିଲେ ଯେ ଓଡ଼ିଶାରେ ସରକାରଙ୍କ ପରିବର୍ତ୍ତନ ହେଲେ ଓଡ଼ିଶାର ଉନ୍ନତିର ପଥରେ ଆଗେଇବ ।
ଓଡିଶା ବାସୀ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଓଡ଼ିଶାରେ ଏକ ଦୃଢ ସରକାର ଗଠନ କରିବା ପାଇଁ ପଡିବ । ଏହାସହ ଶ୍ରୀ ପ୍ରଧାନ ବିଜେପିରେ ନୂତନ ଭାବେ ଯୋଗଦେଇଥିବା ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ସମେତ ଅନେକ ଯୁବ ନେତୃତ୍ୱଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ମାଁ ସମଲେଶ୍ୱରୀ ମନ୍ଦିରରୁ ନିଜର ଶତାଧିକ ଯୁବ ସହଯୋଗୀଙ୍କୁ ଧରି ଏକ ବାଇକ ରାଲିରେ ଆର୍ଯ୍ୟନ ସଭାସ୍ଥଳକୁ ପହଞ୍ଚିଥିଲେ ।
ଅଧିକ ପଢନ୍ତୁ :କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ବିଫଳ