ନୂଆପଡା: ଆରମ୍ଭ ହୋଇଗଲାଣି ନୂଆପଡା ଉପନିର୍ବାଚନ ପାଇଁ ଅଙ୍କକଷା। କଂଗ୍ରେସ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବା ବେଳେ ଏବେ ବିଜେପି କାହାକୁ ନିଜ ପ୍ରାର୍ଥୀ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। ତେବେ ଦୁଇଦିନ ହେବ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ଜୟ ବିଜେପିରେ ଯୋଗଦାନ ପରେ ନୂଆପଡା ରାଜନୀତିର ସମୀକରଣ ବଦଳିଛି। ତେଣୁ ସେ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
ସେହିପରି ବିଜେଡି ମଧ୍ୟ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ। ତେଣୁ ଟିକେଟ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି। ଆଜି ବିଜେଡି ପ୍ରାର୍ଥୀ ସନ୍ଧାନ ପାଇଁ ବିଜେଡ଼ିର ଏକ ବଡଟିମ୍ ନୂଆପଡାରେ ପହଂଚିଛନ୍ତି। ଅନ୍ୟପଟେ ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଏହାପରେ ନିର୍ବାଚନର ତାରିଖ ଘୋଷଣା ହେବ।