ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୁର୍ଗାପୁରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ, ଓଡିଶା ସରକାରଙ୍କୁ ଲେଖି ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଭାତୀ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ” ମନ୍ତବ୍ୟ ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ମହିଳାଙ୍କୁ ନିରାଶ କରିଛି । ଏହା କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ୪ କୋଟି ୯୦ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା,ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଭାତୀ ।
ଏହା ସହିତ ପ୍ରଭାତୀ ମମତା ଦିଦିଙ୍କୁ ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ଯେ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ । ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି ତାହା ହେଲେ କରିବେ କାହାଠାରୁ, ପ୍ରଶ୍ନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପ୍ରକାଶ ଯୋଗ୍ୟ, ଗତ ସପ୍ତାହରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲରେ ଡାକ୍ତରୀ ପାଠପଢୁଥିବା ଜଣେ ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । କିଛି ଲୋକ ତାଙ୍କୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଖୋଜୁଛି । ଛାତ୍ରୀ ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଅଟନ୍ତି । ଦୁର୍ଗାପୁରରେ ବାଲେଶ୍ଵରର ପ୍ରଶାସନର ସ୍ଵତନ୍ତ୍ର ଟିମ୍ ପହଞ୍ଚି ଜେରା କରୁଛି ।