ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରାଯାଇଥିଲା । ଗତ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଏମ୍ ସି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା କରାଯାଇଥିଲା । ବିଏମ୍ ସି ଅଂଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ହୋଇଥିଲା । ବିଏମସି ଅଞ୍ଚଳରେ ୪୭,୧୨୬ ବୁଲା କୁକୁର ଥିବା ସୂଚନା ମିଳିଛି । ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ କୁକୁର ସହ ୧୧୨୪ଟି ଛୁଆ କୁକୁର ରହିଛନ୍ତି । ୪୦୬୮ ଅଣ୍ଡିରା କୁକୁର ଓ ୩୩୩୫ ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି । ଭୁବନେଶ୍ବର ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି ।
ସୂଚନାଯୋଗ୍ୟ, ବୁଲା କୁକୁର ଗଣନା ପାଇଁ ଭୁବନେଶ୍ୱରର ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଥିଲା । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା । ବୁଲା କୁକୁର ଗଣନା ଦ୍ୱାରା କେଉଁ ୱାର୍ଡରେ କେତେ କୁକୁର ଅଛନ୍ତି ଜଣାପଡ଼ିବା ସହିତ ସହଜରେ ଖାଦ୍ୟ, ଭେକସିନ ଯୋଗେଇ ଦିଆଯାଇପାରିବ । ପ୍ରତିବର୍ଷ କେତେ କୁକୁର ଜନ୍ମ ନେଉଛନ୍ତି ଓ କେତେ କୁକୁରଙ୍କର ମୃତ୍ୟୁ ହେଉଛି ସବୁର ତଥ୍ୟ ବିଏମସି ରଖିପାରିବ । ରାଜଧାନୀ ବାସୀଙ୍କ ସୁରକ୍ଷା, ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି।