ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ଅକ୍ଟୋବର ୨୨ରେ ନାମାଙ୍କନ ଯାଞ୍ଚ ଏବଂ ୨୪ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ଦିନ ରହିଛି । ନଭେମ୍ବର ୧୧ରେ ମତଦାନ ହେବ ଏବଂ ୧୪ରେ ଫଳାଫଳ ପ୍ରକାଶ ପାଇବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୪୭ଟି ବୁଥ୍ ମାଓ ପ୍ରବଣ ଅଞ୍ଚଳରେ ରହିଥିବାରୁ ସେହିବୁଥ ଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ ହେବ । ଅନ୍ୟସମସ୍ତ ବୁଥଗୁଡ଼ିକରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ଚାଲିବ । ମାଓ ପ୍ରବଣ ବୁଥ ଗୁଡ଼ିକ ହେଲା ୧୪୫ ରୁ ୧୫୦, ୧୫୨ ରୁ ୧୫୪, ୧୫୮ ରୁ ୧୬୦, ୧୬୨ ରୁ ୧୬୫, ୧୭୨, ୧୭୩, ୧୯୧ ରୁ ୧୯୩, ୨୧୨ ରୁ ୨୨୩, ୨୫୪, ୨୫୫, ୨୬୮ ରୁ ୨୭୧, ୩୦୬ ଓ ୩୦୭, ୩୧୯ ରୁ ୩୩୧, ୩୫୫ ଓ ୩୫୮ ନଂ ବୁଥ ।
ସେହିପରି ୮ଟି ସମ୍ବେଦନଶୀଳ ବୁଥ ଗୁଡ଼ିକ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିବୁଥ ପାଇଁ ୭ଟି ହେଲିକପ୍ଟର୍ ନିୟୋଜିତ କରାଯିବ । ଡ୍ୟୁଟିରେ ଥିବା ଅଧିକାରୀମାନେ ହେଲିକପ୍ଟରରେ ଯିବେ ମତଦାନ ଶେଷ ହେବା ପରେ ହେଲିକପ୍ଟରରେ ଫେରିଆସିବେ । ଏହା ସହିତ ୧୪ ପ୍ଲାର୍ଟୁନ କେନ୍ଦ୍ରୀୟ ଫୋର୍ସ ପାଇଁ ମଧ୍ୟ ସୁପାରିଶ କରାଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି ।
ନୂଆପଡ଼ାରେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ମତସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ, ୧ ଲକ୍ଷ ୨୯ ହଜାର ୪୯୫ ମହିଳା, ୧୭୮୬ ଜଣ ବରିଷ୍ଠ ନାଗରିକ, ୯୪୨୯ ଯୁବ ଭୋଟର ଏବଂ ୩୯୮୮ ଭିନ୍ନକ୍ଷମ ମତଦାତା ରହିଛନ୍ତି ।
ଗୋଟିଏ ପଟେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିସାରିଥିବାବେଳେ ଦୁଇଟି ପ୍ରମୁଖ ଦଳ ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । କେବଳ କଂଗ୍ରେସ ହିଁ ଘାସିରାମ ମାଝୀଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଦଳରେ ସାମିଲ ହେବା ପରେ ତାଙ୍କ ନାମରେ ମୋହର ଲାଗିବାର ସମ୍ଭାବନା ରହିଛି । ସେପଟେ ଜୟ ବିଜେପିରେ ମିଶିବା ପରେ ଚିନ୍ତାରେ ରହିଛି ବିଜୁ ଜନତା ଦଳ ।